ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ଆରମ୍ଭ ହେବ ଇ-ଚଲାଣ ବ୍ୟବସ୍ଥା ! ଜରିମାନା ଆଦାୟ ପ୍ରକ୍ରିୟାରେ ଆସିବ ସ୍ବଚ୍ଛତା

173

କନକ ବ୍ୟୁରୋ : ଆରଟିଓ ଓ ଏମ୍‌ଭିଆଇମାନେ ଏଣିକି ଇ-ଚଲାଣ ମାଧ୍ୟମରେ ଗାଡ଼ି ଉପରୁ ଜରିମାନା ଆଦାୟ କରିବେ । ଆଉ ଭିସିଆର୍‌ କାଟିବାକୁ ପଡ଼ିବନି । ଗାଡ଼ି ନମ୍ବର ହ୍ୟାଣ୍ଡ ହେଲ୍ଡ ଟର୍ମିନାଲ ମେସିନ୍‌ରେ ପକାଇବା କ୍ଷଣି ଗାଡ଼ିର ସବିଶେଷ ତଥ୍ୟ କର୍ତ୍ତୃପକ୍ଷଙ୍କ ନିକଟକୁ ଆସିଯିବ । ଏହାପରେ କର୍ତ୍ତୃପକ୍ଷ ଗାଡ଼ିର ମାଲିକଙ୍କ ନାମରେ ଇ-ଚଲାଣ କାଟିବେ । ଗାଡ଼ି ଉପରୁ କେତେ ଟଙ୍କା ଜରିମାନା ଆଦାୟ ହେଲା, କେଉଁ କେଉଁ ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି ତା’ର ଲିଙ୍କ୍‌ ଗାଡ଼ି ମାଲିକଙ୍କ ମୋବାଇଲ ନମ୍ବରକୁ ଚାଲିଯିବ । ଗାଡ଼ି ମାଲିକ ଚାହିଁଲେ ଅନଲାଇନ୍ ମୋଡରେ ଘରେ ବସି ଜରିମାନା ଦେଇପାରିବେ । ଏହି ବ୍ୟବସ୍ଥା ଆସନ୍ତା ଡିସେମ୍ବର ୧ରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ।

ଭୁବନେଶ୍ବର ଆରଟିଓ-୧ ପ୍ରଦୀପ କୁମାର ମହାନ୍ତିଙ୍କ ସୂଚନା ଅନୁଯାୟୀ, ଇ-ଚାଲାଣ ବ୍ୟବସ୍ଥା ସାରା ରାଜ୍ୟରେ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ସପ୍ତାହରୁ ପାଇଲଟ୍ ପ୍ରକଳ୍ପ ଭାବେ ଏହା ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ । ଏଥିପାଇଁ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଇ-ଚଲାଣ ବ୍ୟବସ୍ଥାରେ ଜରିମାନା ଆଦାୟ ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ ।

ଏହି ଇ-ଚଲାଣ ପାଇଁ ଏନ୍ଆଇସି ୱେବସାଇଟ୍ ଡେଭେଲପ୍ କରିଥିବାବେଳେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଜରିମାନା ଆଦାୟ ମେସିନ୍ ଯୋଗାଇଛି । ଏହି ମେସିନ୍‌ରେ ଗାଡ଼ି ନମ୍ବର ଟାଇପ୍ କଲେ ଗାଡ଼ି ଏବଂ ମାଲିକଙ୍କ ସବିଶେଷ ତଥ୍ୟ ଆସିଯିବ । ସେହିପରି ଗାଡ଼ି ନମ୍ବର ସମ୍ମୁଖରେ ମେସିନ୍‌ଟିକୁ ରଖିଦେଲେ ସମସ୍ତ ତଥ୍ୟ ବି ଆସିଯିବ। ପ୍ରଥମ ପର୍ଯ୍ୟାୟରେ ୪୦୦ ମେସିନ୍ ଦିଆଯିବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ କମିସନର ସଂଜୀବ କୁମାର ପଣ୍ଡା, ଅତିରିକ୍ତ ପରିବହନ କମିସନର ସମୀର ପାଣିଗ୍ରାହୀ ଓ ଆଞ୍ଚଳିକ ପରିବହନ ଅଧିକାରୀମାନେ ଯୋଗଦେଇଥିଲେ ।