କାଳରାତ୍ରିରେ କାଳବୈଶାଖୀ ଆଣିଲା ମୃତ୍ୟୁର ତାଣ୍ଡବ ! ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଶତାଧିକ ମୃତ, ଓଡ଼ିଶାରେ ଚାଲିଗଲା ୩ଟି ଜୀବନ

25

କନକ ବ୍ୟୁରୋ : କାଳବୈଶାଖୀର ମହାତାଣ୍ଡବ । ଉତ୍ତରଭାରତ ସମେତ ଦେଶର ବିଭିନ୍ନ ଅଂଚଳରେ ଅଦିନିଆ ଝଡ଼ବର୍ଷା ଯୋଗୁଁ ବ୍ୟାପକ କ୍ଷତିୟତି ଘଟିଛି । ଅଚାନକ ଝଡ଼ବତାସ ଯୋଗୁଁ ଉତରପ୍ରଦେଶ ଓ ରାଜସ୍ଥାନରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହପରି ମାଲକାନଗିରି ସମେତ ରାଜ୍ୟର ବିଭିନ୍ନ ଅଂଚଳରେ କାଳବୈଶାଖୀର ଭୟଙ୍କର ରୂପ ଦେଖିବାକୁ ମିଳିଛି । ବରଗଡ଼, ବାଲେଶ୍ୱର ଓ ମୟୁରଭଂଜରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡବର୍ଷା ହେବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ ।

storm

ସାରା ଦେଶରେ କାଳ ପାଲଟିଲା କାଳବୈଶାଖୀ । ବିଶେଷ କରି ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ପ୍ରଳୟ ରଚିଛି ଅଦିନିଆ ଝଡ଼ ତୋଫାନ । ଏହି ଦୁଇ ରାଜ୍ୟରେ ୯୭ ଜଣଙ୍କ ଜୀବନ ଯାଇଛି । ପ୍ରବଳ ବର୍ଷା, ଧୁଳି ଝଡ଼ ଯୋଗୁଁ କେବଳ ଉତ୍ତରପ୍ରଦେଶରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମାତ୍ର କେଇ ମିନିଟରେ  ଝଡ଼ତୋଫାନରେ ବଡ଼ ବଡ଼ ଗଛ ଉପୁଡି ପଡିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଗ୍ରାରେ ସର୍ବାଧିକ ୪୩ଜଣ ପ୍ରାଣ ହରାଇଛନ୍ତି ।

ସେପଟେ ରାଜସ୍ଥାନରେ ଧୂଳିଝଡ ଓ ପବନ ବତାସରେ ୩୩ ଜଣଙ୍କ ଜୀବନ ଯାଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି । ରାଜସ୍ଥାନର ଅଲୱର, ଭରତପୁର ଓ ଧୋଲପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବ୍ୟାପକ ଧନ ଜୀବନ ନଷ୍ଟ ହେବା ସହ ଠପ୍ ହୋଇଯାଇଛି ବିଦ୍ୟୁତ ସରବରାହ । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚାରିଧାମା ଯାତ୍ରା ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପଂଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ବି ହୋଇଛି ଭୟଙ୍କର ଝଡ଼ ତୋଫାନ୍ ।

ସେହିପରି ଓଡ଼ିଶାରେ ବି ତାଣ୍ଡବ ରଚିଛି କାଳବୈଶାଖୀ । ଆଜି ସକାଳୁ ମାଲକାନଗିରିରେ ମୂଷଳ ଧାରାରେ ବର୍ଷା ହେବା ସହ ମାଡ଼ି ଆସିଛି ଝଡ଼ ତୋଫାନ । ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଘର ବି କ୍ଷତିଗ୍ରସ୍ତ ହୋଇଛି । ଗଛ ପଡି ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ସୂଚନା ମିଳିଛି । ଗତ ତିନି ଦିନ ଧରି ମାଲକାନଗିରି ଜିଲ୍ଲାରେ ଲାଗିରହିଛି ଝଡ଼ବର୍ଷା । ଗୋବିନ୍ଦପାଲି ଠାରେ ଜାତୀୟ ରାଜପଥ ଉପରେ ବଡ ବଡ ଗଛ ଉପୁଡି ପଡିଥିବାରୁ ଜୟପୁର-ମାଲକାନଗିରି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଚିତ୍ରକୋଣ୍ଡା ଅଂଚଳରେ ଝଡ ତୋଫାନ ଯୋଗୁଁ ବିଚ୍ଛିନ୍ନାଂଚଳକୁ ଲଂଚ ସେବା ବାଧାପ୍ରାପ୍ତ ହୋଇଛି । ସେହିପରି ବିଚ୍ଛିନ୍ନାଂଚଳର ଅଁଳାପଦର ଗାଁରେ ପ୍ରାୟ ୫୦ଟି ଗାଈଗୋରୁ ବାଲିମେଳା ଜଳଭଣ୍ଡାରରେ ଭାସିଯାଇଥିବା ଜଣାପଡିଛି । ରାୟଗଡାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଅଦିନିଆ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷତିକ୍ଷତି ହୋଇଛି ।

ସେହିପରି ଗତକାଲି ରାତିରେ ଚିଲିକା ବ୍ଲକର ବିଭିନ୍ନ ସ୍ଥାନରେ ଅଚାନକ ଝଡବର୍ଷା ଓ ପବନ ବହିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗଙ୍ଗାଧରପୁର ଶାସନର ପୁରାତନ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରର ଦଧିନଉତି ଭାଙ୍ଗିଯାଇଛି । ଅନେକ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ବନ୍ଦ ହୋଇଯାଇଛି ବିଦ୍ୟୁତ ସରବରାହ । ଆସନ୍ତା ୨୪ ଘଂଟା ମଧ୍ୟରେ ନବରଙ୍ଗପୁର, ନୂଆପଡା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଜିଲ୍ଲାରେ ବର୍ଷା ହେବା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।