ନୂଆ ଟ୍ରାଫିକ ନିୟମର ଫାଇଦା ଉଠାଉଛନ୍ତି ଅସାମାଜିକ ବ୍ୟକ୍ତି : ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟରେ ପର୍ଯ୍ୟଟକଙ୍କୁ ଲୁଟିଲେ ନକଲି ଏମଭିଆଇ

800
କନକ ବ୍ୟୁରୋ : ଅସଲି ତନଖି ଫାଟକ ନକଲି ଏମଭିଆଇ । ନୂଆ ଟ୍ରାଫିକ ନିୟମର ସୁଯୋଗ ନେଇ ମାତିଲେଣି ନକଲି ଏମଭିଆଇ । ଏମିତି ଏକ ସାଙ୍ଘାତିକ ଖବର ଆସିଛି ବାଲେଶ୍ୱର ଜଳେଶ୍ୱରରୁ । ଲକ୍ଷ୍ମଣନାଥ ତନଖି ଫାଟକରେ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ବସକୁ ଅଟକାଇ ଲୁଟ୍ କରିଛନ୍ତି ନକଲି ଏମଭିଆଇ ।
ନୂଆ ଟ୍ରାଫିକ ନିୟମର ସୁଯୋଗ ନେଇ ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ନକଲି ଏମଭିଆଇ । ଲକ୍ଷ୍ମଣନାଥ ତନଖି ଫାଟକରେ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ୫ଟି ବସକୁ ଅଟକାଇଥିଲେ ନକଲି ଏମଭିଆଇ । ନୂଆ ଟ୍ରାଫିକ ନିୟମରେ ଗାଡି କାଗଜପତ୍ର ଯାଂଚ କଡାକଡି ହୋଇଛି । ତେଣୁ ଏମାନଙ୍କୁ ଅସଲି ଏମଭିଆଇ ଭାବି ବିହାର, ଛତିଶଗଡ ଓ ନେପାଳରୁ ଆସିଥିବା ପର୍ଯ୍ୟଟକ ବସଗୁଡିକ ଅଟକିବା ସହ ଯାଂଚ ପାଇଁ କାଗଜପତ୍ର ଦେଇଥିଲେ । ସବୁ କାଗଜପତ୍ର ଦେଖାଇବା ପରେ ବସ୍ ପିଛା ୭ ହଜାର ଲେଖାଏଁ ଟଙ୍କା ଦେବାକୁ କହିଥିଲେ ନକଲି ଏମଭିଆଇ । ଫଳରେ ସନ୍ଦେହ ବଢିଥିଲା । ତେଣୁ ସେମାନଙ୍କ ପରିଚୟ ମାଗିଥିଲେ ଡ୍ରାଇଭର । ଆଉ ଏହାପରେ ଅଭିଯୁକ୍ତମାନେ ରାଗି ଯାଇ ବସ୍ ଡ୍ରାଇଭର ଓ ମହିଳା ପର୍ଯ୍ୟଟକଙ୍କୁ ମାଡମାରି ସେମାନଙ୍କଠାରୁ ସୁନା ଗହଣା ଓ ଟଙ୍କା ପଇସା ଲୁଟପାଟ କରିଛନ୍ତି ।
ଏହାକୁ ନେଇ ପର୍ଯ୍ୟଟକମାନେ ରାସ୍ତା ଅବରୋଧ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ଗୁରୁତର ପର୍ଯ୍ୟଟକଙ୍କୁ ଡାକ୍ତରଖାନାରେ ଭର୍ତି କରିଛି । ଏହି ଘଟଣାରେ ୫ଜଣ ନକଲି ଏମଭିଆଇଙ୍କୁ ଅଟକ ରଖିଛି ପୁଲିସ । ତେବେ ସବୁଠାରୁ ବଡକଥା ହେଉଛି ଲକ୍ଷ୍ମଣନାଥ ତନଖି ଫାଟକରେ ଗାଡି ଯାଂଚ ପାଇଁ ପୁଲିସ କି ପରିବହନ ବିଭାଗର କୌଣସି କର୍ମଚାରୀ ରହୁନଥିବାରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ନୂଆ ଟ୍ରାଫିକ ନିୟମକୁ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଏହାର ଫାଇଦା ଉଠାଇ ମାତିଛନ୍ତି ନକଲି ଏମଭିଆଇ । ଯାହା ଉପରେ ପୋଲିସ ଓ ପ୍ରଶାସନ ନିୟନ୍ତ୍ରଣ ଆଣିବା ଜରୁରୀ ହୋଇପଡିଛି ।