ଓଡ଼ିଶା ବଜାରରେ ବିକ୍ରି ହେଉଛି ନକଲି କ୍ଷୀର : ସର ପଡ଼ିବା ତ ଦୂରର କଥା ଯେତେ ଲେମ୍ବୁ ଚିପୁଡ଼ିଲେ ବି ଛିଣ୍ଡୁନି କ୍ଷୀର

869

କନକ ବ୍ୟୁରୋ : କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ । ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ପିଉଥିବା କ୍ଷୀର ଯଦି ଅପମିଶ୍ରିତ ହୁଏ, ତେବେ ଲୋକେ କରିବେ କ’ଣ ? ନକଲି ଚାଉଳ, ନକଲି ଅଣ୍ଡା ପରେ ଏବେ ଓଡ଼ିଶା ବଜାରରେ ନକଲି କ୍ଷୀର । ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଂଚଳରେ ବିକ୍ରି ହେଉଛି ଅପମିଶ୍ରିତ କ୍ଷୀର । ଯେତେ ଲେମ୍ବୁ ଚିପୁଡ଼ିଲେ ମଧ୍ୟ ଅପମିଶ୍ରିତ କ୍ଷୀର ଛିଣ୍ଡୁନି । ଅସଲି ପରି ଦେଖାଯାଉଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ଏହି କ୍ଷୀର । ଉମରକୋଟରେ ଏକ ଦୋକାନରେ ନକଲି କ୍ଷୀର ମିଳୁଥିବା କଥା ଶୁଣି ଚିନ୍ତାରେ ସ୍ଥାନୀୟ ବାସିନ୍ଦା ।

ଆଜିକାଲି ବଜାରରେ ମିଳୁଥିବା ଅର୍ଦ୍ଧାଧିକ ଦ୍ରବ୍ୟରେ ଅପମିଶ୍ରଣ ହେଉଛି । ହେଲେ ସବୁଠାରୁ ଚିନ୍ତାର ବିଷୟ, ଅପମିଶ୍ରିତ ଦ୍ରବ୍ୟକୁ ସହଜରେ ଚିହ୍ନିବା କଷ୍ଟକର ହେଉଛି । ଉମରକୋଟରେ ଅପମିଶ୍ରିତ କ୍ଷୀର ବିକ୍ରି ହେଉଥିବା ଖବର ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଉମରକୋଟରେ ସୀତାରାମ କଲାର ନାମକ ଜଣେ ଲୋକ ଦୁଇ ଲିଟର କ୍ଷୀର କିଣିଥିଲେ । ଆଉ ତା’ପରେ ଘରକୁ ଯାଇ ପାଖାପାଖି ୪୫ ମିନିଟ୍ କ୍ଷୀରକୁ ଫୁଟାଇଥିଲେ । ହେଲେ କ୍ଷୀରରେ ସର ନପଡ଼ିବାରୁ ୪ଟି ଲେମ୍ବୁ ଚିପୁଡ଼ିଥିଲେ । ତଥାପି କ୍ଷୀର ଛିଣ୍ଡିନଥିଲା । ଅପମିଶ୍ରିତ କ୍ଷୀର ସନ୍ଦେହ କରି ଦୋକାନକୁ ଆଣି ସେ ଅଭିଯୋଗ କରିଥିଲେ । ଦୋକାନକୁ କ୍ଷୀର ଆଣିବା ପରେ ଆଉ ୪ଟି ଲେମ୍ବୁ ମଧ୍ୟ ଚିପୁଡ଼ିଥିଲେ । ତଥାପି କ୍ଷୀରରେ କିଛି ପରିବର୍ତ୍ତନ ହୋଇନଥିଲା । ଏଖବର ପ୍ରଘଟ ହେବାପରେ ତାତିଛନ୍ତି ସ୍ଥାନୀୟବାସୀ । ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ନକଲି କ୍ଷୀର ବିକ୍ରେତାଙ୍କୁ ଅନୁମତି ନମିଳୁ ବୋଲି ଦାବି କରିଛନ୍ତି ।

ଅନ୍ୟପଟେ ନକଲି କ୍ଷୀର ବିକ୍ରି କଥାକୁ ଖଣ୍ଡନ କରିଛନ୍ତି ଦୋକାନୀ । ପ୍ରତିଦିନ ସଜ କ୍ଷୀର ହିଁ ବିକ୍ରି ହେଉଛି ବୋଲି ସେ ଯୁକ୍ତ ବାଢ଼ିଛନ୍ତି । ବିଭିନ୍ନ ଗ୍ରାମରୁ କ୍ଷୀର ଆସିବା ପରେ ବିକ୍ରି ହେଉଛି । ତେବେ କ୍ଷୀର ବିକ୍ରି କରିବାକୁ ଫୁଡ଼୍ ଲାଇସେନ୍ସ ଅଛି କି ନାହିଁ ବୋଲି ପ୍ରଶ୍ନ କରିବାରୁ ସେ ହଡ଼ବଡ଼େଇ ଯାଇଥିଲେ । ଏ ବିଷୟରେ କିଛି ସ୍ପଷ୍ଟ ଉତ୍ତର ଦେଇନଥିଲେ ।

ସୂଚନାଯୋଗ୍ୟ ୨ ବର୍ଷ ପର୍ଯ୍ୟନ୍ତ ଲଗାତାର ଅପମିଶ୍ରିତ କ୍ଷୀର ପିଇବା ଦ୍ୱାରା ଲୋକଙ୍କ ଅନ୍ତନଳୀ, ଲିଭର କିମ୍ବା କିଡନି ଖରାପ ହେବା ସହ ବିପଦଜନକ ରୋଗର ଶିକାର ହୋଇପାରନ୍ତି । ଅପମିଶ୍ରିତ କ୍ଷୀର ପିଇବା ଦ୍ୱାରା ହାତରେ ଝିମଝିମ୍ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହେବା ଆରମ୍ଭ ହୁଏ । ୧୦ବର୍ଷ ଧରି ଏହି କ୍ଷୀର ପିଇଲେ, କ୍ୟାନସର ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା ଥାଏ । ବହୁ ପୂର୍ବରୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ କରିଥିବା ଏକ ଅଧ୍ୟୟନରେ ଏହାର ଖୁଲାସା କରିସାରିଛନ୍ତି ।