ଲକଡାଉନ ପାଇଁ ଜମୁଛି ଚୋରା ମଦ କାରବାର : ସୀମାନ୍ତ ଝାଡ଼ଖଣ୍ଡରୁ ଆସୁଛି ନକଲି ମଦ

588

କନକ ବ୍ୟୁରୋ : ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ଥିବାବେଳେ ଏବେ ଚୋରା ମଦ କାରବାର ବଢ଼ିଥିବାର ଦେଖିବାକୁ ମିଳିଛି । କିଛି ବେପାରୀ ମଦର କଳାବଜାରୀ କରୁଥିବାବେଳେ ଆଉ କିଛି ନକଲି ମଦକୁ ଅସଲି ମୂଲ୍ୟରେ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ସ୍ଥିତି ଏମିତି ହୋଇଛି ଯେ ଝାଡ଼ଖଣ୍ଡ ସୀମାନ୍ତରୁ ଓଡିଶାକୁ ମଦ ଆସୁଛି । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ସୀମାନ୍ତ ଅଙ୍କୁରପାଲି କାରିଛପାଲରୁ ବିପୁଳ ଦେଶୀ ମଦ ଆସୁଥିବାର ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା ।

ଏହାପରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଉଦିତନଗର ମୁନିସିପାଲଟି ଛକରେ ଏକ ଇଣ୍ଡିଗୋ କାରରୁ ୬୪୦ ଲିଟର ନକଲି ମଦ ଜବତ କରାଯାଇଥିଲା । ତେବେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।ସେହିପରି ଖୋର୍ଦ୍ଧା ପୁଲିସକୁ ମଧ୍ୟ ବଡ଼ ସଫଳତା ମିଳିଛି । ଟାଙ୍ଗୀ ଓ ଜଙ୍କିଆରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ଜଙ୍କିଆ ନିକଟରୁ ୧ ହଜାର ୧୨୭ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ୨ ଟି ଗାଡ଼ି ସହ ୪ ଜଣଙ୍କୁ ଗିରଫ କରିଛି । ସେହିପରି ଟାଙ୍ଗୀରୁ ୧୩୫ ଲିଟର ଚୋରାମଦ ଜବତ ହୋଇଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି ।

Comments are closed.