ରାଜଧାନୀ ଦିଲ୍ଲୀରେ ବିଷାକ୍ତ ବାୟୁର ପଞ୍ଝାରେ କୋମଳମତି : ସ୍କୁଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ କମିଲା ଛାତ୍ରଛାତ୍ରୀଙ୍କ ଉପସ୍ଥାନ

127

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ବାୟୁ ପ୍ରଦୂଷଣ । ପ୍ରଦୂଷଣ ସ୍ଥିତି ଏତେ ଗମ୍ଭୀର ଯେ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ମଙ୍ଗୁ ନାହାନ୍ତି । ପ୍ରଦୂଷିତ ବାୟୁ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଉଛି । କୁନି କୁନି ସ୍କୁଲ ପିଲାଙ୍କ ସ୍ୱାସ୍ୟବସ୍ଥା ଭଲ ରହୁନାହିଁ । ମୁଣ୍ଡ ବ୍ୟଥ, ଆଖି ପୋଡ଼ିବା, ବାନ୍ତି, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି କୁନି କୁନି ପିଲା । ଏହି କାରଣରୁ ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ । ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ପ୍ରାୟ ଛୋଟ ଛୋଟ ପିଲାମାନଙ୍କର ଆସ୍ଥମା ସମସ୍ୟା ରହିଛି ।

ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ବାୟୁ ଅଧିକ ପ୍ରଦୂଷିତ ହୋଇଛି ।  ଦୀପାବଳିରେ ଧୂଆଁମୟ ହୋଇଯାଇଥିଲା ପରିବେଶ । ବୁଧବାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୯ ଥିଲା । ଗୁରୁବାର ୪୧୦ ରେକର୍ଡ କରାଯାଇଥିଲା । ଅଭିଭାବକଙ୍କ କହିବା ଅନୁସାରେ ସକାଳ ସମୟରେପାଗ ବହୁତ ଖରାପ ରହୁଛି । ଆଉ ଏପରି ପ୍ରଦୂଷିତ ବାୟୁ ସାଙ୍ଗକୁ ଖରାପ ପାଗରେ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡୁଛି । ଫଳରେ ସେମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି ଏବଂ ସ୍କୁଲ ଯାଇପାରୁ ନାହାନ୍ତି । ସ୍କୁଲ ଯିବାରେ ସମୟ ପରିବର୍ତ୍ତନ କରାଗଲେ ଏପରି ସମସ୍ୟାରୁ ସାମାନ୍ୟ ମୁକ୍ତି ମିଳିପାରନ୍ତା ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି ।