୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଶୁଖିଲା ରହିବ ପାଗ : ଗୋଟିଏ ଦୁଇଟି ସ୍ଥାନରେ ୧୦ ଡିଗ୍ରି ତଳକୁ ଖସିବ ପାରଦ

499

କନକ ବ୍ୟୁରୋ : ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତିର ତାପମାତ୍ରାରେ ସେ‌ତେଟା ପରିବର୍ତନ ହେବ ନାହିଁ । ଗୋଟିଏ ଦୁଇଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିବ । ୧୮ ତାରିଖ ବେଳକୁ ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, ସୁନ୍ଦରଗଡ଼, କୋରାପୁଟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତକାଲି ରାତିରେ ଦାରିଙ୍ଗବାଡ଼ି ସମେତ ୭ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା । ଦାରିଙ୍ଗବାଡ଼ିରେ ପୂର୍ବଭଳି ୧୦ ଡିଗ୍ରି ରହିଥିବା ବେଳେ ସୁନ୍ଦରଗଡ଼ରେ ୧୨.୫, ଅନୁଗୁଳରେ ୧୨.୬, ଫୁଲବାଣୀରେ ୧୨.୬, କୋରାପୁଟରେ ୧୨.୮, ଟିଟିଲାଗଡ଼ରେ ୧୩.୧, କେନ୍ଦୁଝରରେ ୧୪.୨ ଡିଗ୍ରି ଥିଲା ।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଖରାଟିଆ ତଥା ଶୁଖିଲା ରହିବ । ଉତ୍ତରା ପବନ ଜାରି ରହିବ । ଆସନ୍ତା ୨ ଦିନ ଯାଏ ସମଗ୍ର ରାଜ୍ୟର ତାପମାତ୍ରା ଆଜି ଅପେକ୍ଷା ଏକ ଡିଗ୍ରି ଅଧିକ ରହିବ । ତା’ପରେ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିବ । ଉପକୂଳ ଜିଲ୍ଲାଗୁଡ଼ିକରେ ବିଶେଷ ଥଣ୍ଡା ବଢ଼ିବ ନାହିଁ। ତେବେ କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ଥଣ୍ଡା କ୍ରମଶଃ ବଢ଼ିବ । ପୂର୍ବରୁ ଆକଳନ କରାଯାଇଥିବା ପୂର୍ବା ପବନ ଓଡ଼ିଶାକୁ ପ୍ରବାହିତ ନ ହୋଇ ଆନ୍ଧ୍ର ଓ ତାମିଲନାଡ଼ୁ ଉପକୂଳରେ ରହିବ । ତେଣୁ ୧୬ ତାରିଖଠାରୁ ସେଠାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ ।