ଦୁଃଖ ଦେଉଛି ଶୁଖିଲା ମହାନାଦୀ : ପାଣି ଅଭାବରୁ ପଡିଆ ପଡିଛି ଜମି

67

କନକ ବ୍ୟୁରୋ : କେଉଁଠି ବନ୍ୟା ଦୁଃଖ ଆଣିଥାଏ । ଗାଁ ଗଣ୍ଡାରେ ପାଣି ପଶା ଚାଷବାସ ଉଜାଡି ଦେଇଥାଏ । ଆଉ କେତେକ ସ୍ଥାନରେ ସେହି ବନ୍ୟା ପେଟ ପାଟଣାର ସାହା ଦେଇଥାଏ । ବନ୍ୟା ପାଲଟେ ଲୋକଙ୍କ ଜୀବନରେଖା । ହେଲେ ୨୦୧୪ ଠାରୁ ବନ୍ୟା ଦେଖିନଥିବା ଅଂଚଳରେ ଚାଷ ଉଜୁଡି ଗଲାଣି । ପିଇବା ପାଣି ମୁନ୍ଦେ ପାଇଁ ହାହାକାର ପଡିଛି । ମହାନଦୀ ବନ୍ୟାକୁ ଅପେକ୍ଷା କରିଛି ବରଗଡ ଜିଲ୍ଲାର ସୀମାବର୍ତ୍ତି ପଂଚାୟତ ଭୈନାତୋରା ।

ମହାନଦୀ ଉପରମୁଣ୍ଡରେ ରହିଛି ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖିଲି ଗାଁ । ୪ ବର୍ଷ ହେଲା ଗାଁର ଚିତ୍ର ବଦଳି ଯାଇଛି । ଦିନେ ସବୁଜିମା ଭରା  ଗାଁ ଏବେ ଟାଙ୍ଗରା ଭୂଇଁ ପାଲଟିଛି । ପଡିଆ ପଡିଛି ହଜାର ହଜାର ହେକ୍ଟର ଚାଷ ଜମି । ଚାଷବାସ କରି ଚଳୁଥିବା ଗ୍ରାମବାସୀଙ୍କୁ ଘାରିଛି ପେଟପାଟଣାର ଚିନ୍ତା । ଆଉ ସେମାନଙ୍କ ଦୁଃଖର କାରଣ ଶୁଖିଲା ମହାନାଦୀ ।

ମହାନଦୀର ଉରରମୁଣ୍ଡରେ ବର୍ଷା ହେଲେ ହୀରାକୁଦ ଜଳଭଣ୍ଡାର ପୁରି ଉଠେ । ଆଉ ଜଳଭଣ୍ଡାରର ପଛୁଆ ପାଣି ଭୈନାତୋରାର ଚିଖିଲି ଗାଁରେ ବର୍ଷା ୩ ମାସ ବନ୍ୟା ସୃଷ୍ଟି କରିଥାଏ । ୩ ମାସ ଧରି ପାଣି ଘରରେ ରହୁଥିବା ଏ ଗ୍ରାମବାସୀଙ୍କୁ ବାକି ୮ ମାସର ଜୀବନ ଜୀବିକା ଯୋଗାଇଥାଏ ମହାନଦୀ ବନ୍ୟା । ମହାନଦୀ ପଟୁ ଜମିରେ ମାଡିଯିବାରୁ ଧାନ, ବାଦାମ, ଡାଲିଜାତୀୟ ଫସଲ ସହ ପନିପରିବା ଚାଷ କରିଥାନ୍ତି ଏଠାକାର ଚାଷୀ । ହେଲେ ୨୦୧୪ ମହିସାରୁ ମହାନଦୀ ଶୁଖିଲା ପଡିଥିବା ବେଳେ ବନ୍ୟା ଦେଖିନି ଭୈନାତୋରା ପଂଚାୟତ ।

ମହନାଦୀ ସୁଖି ଯିବାରୁ କେବଳ ଯେ, ଚାଷ ପ୍ରଭାବିତ ହୋଇଛି ତା ନୁହେଁ, ଭୂତଳ ଜଳସ୍ତର ହ୍ରାସ ପାଇବାରୁ ମହାନଦୀ ଅବବାହିକାରେ ପିଇବା ପାଣି ସମସ୍ୟା ମଧ୍ୟ ଦେଖାଦେଇଛି । ବନ୍ୟା ଦେଉଥିବା ଦୁଃଖ ନେଇ ଦିନେ ଅଭିଯୋଗ କରିନଥିବା ଗ୍ରାମବାସୀ ବନ୍ୟା ନଆସିବାରୁ ଅଭିଯୋଗ କରିଛନ୍ତି । ତେବେ ମହାନଦୀର ଉପରମୁଣ୍ଡିରେ ଛତିଶଗଡ ସରକାର ବ୍ୟାରେଜ କରିବାରୁ ଉପୁଜିଥିବା ଜଳ ସଂକଟର ସମାଧାନ ଖୁବଶୀଘ୍ର କରାନଗଲେ ଆଗକୁ ସ୍ଥିତି ସଂଗୀନ ହେବ ।