ହ୍ରାସ ପାଉଛି ହୀରାକୁଦ ଜଳଭଣ୍ଡାର ଜଳ ସ୍ତର : ୧୩ ବର୍ଷରେ ସର୍ବନିମ୍ନ ସ୍ତରରେ ହୀରାକୁଦ

133

କନକ ବ୍ୟୁରୋ : ଦୁଇ ଦିନ ତଳେ ସପ୍ତାହେ ଧରି ବଡ଼ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ‌ୟେଲୋ ଆଲର୍ଟ ବି ଜାରି ହୋଇଥିଲା । ତେବେ ସମ୍ବଲପୁର ଜିଲ୍ଲା ବିଶେଷକରି ହୀରାକୁଦର ଉପରମୁଣ୍ଡରେ ଆଶାନୁରୂପ ବର୍ଷା ହେଲାନି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ କମି କମି ଚାଲିଛି । ଜଳସ୍ତର ଗତ ୧୭ ବର୍ଷର ସର୍ବନିମ୍ନ ସ୍ତର ଆଡ଼କୁ ଗତି କରୁଛି । ବିଦ୍ୟୁତ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହୋଇଛି । କେନାଲକୁ ମଧ୍ୟ ଜଳଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖା ଦେଇଛି । ଆଗାମୀ ସପ୍ତାହରେ ଉପରମୁଣ୍ଡରେ ଭଲ ବର୍ଷା ହେବ ଓ ଜଳଭଣ୍ଡାର ସ୍ଥିତିରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଥିବା ବେଳେ ୨୦୦୨ ମସିହାର ସ୍ଥିତି ପୁନରାବୃତ୍ତି ନ ହେଉ‌ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସୂଚନାଯୋଗ୍ୟ ହୀରାକୁଦ ଜଳଭଣ୍ଡାରର ଇତିହାସରେ ୨୦୦୨ ଏକ କଳାବର୍ଷ ଥିଲା। ପ୍ରତିବର୍ଷ ପ୍ରାୟତଃ ଅଗଷ୍ଟ ମାସରେ ହୀରାକୁଦ ଗେଟ୍‌ ଖୋଲା ଯାଉଥିବା ବେଳେ ସେ ବର୍ଷ ସର୍ବାଧିକ ବିଳମ୍ବରେ ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ଗେଟ୍‌ ଖୋଲିଥିଲା । ସେ ବର୍ଷ ଶାସନ କେନାଲ ମଧ୍ୟ ଜଳଭଣ୍ଡାରରୁ ବିଚ୍ଛିନ୍ନ ହୋଇ ଜଳସେଚନ ପ୍ରଭାବିତ ହୋଇଥିଲା । ହୀରାକୁଦ ଡ୍ୟାମ୍‌ର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡାଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ, ଜଳଭଣ୍ଡାରର ଡେଡ୍‌ ଲେଭଲ ୫୯୦ ଫୁଟ ଧାର୍ଯ୍ୟ କରାଯାଇଥିବା ବେଳେ ୨୦୦୨ ମସିହା ଜୁନ ମାସ ୨୫ ତାରିଖରେ ଜଳସ୍ତର ସର୍ବନିମ୍ନ ୫୯୧.୭୧ ଫୁଟ, ଜୁଲାଇ ୧ ତାରିଖରେ ୫୯୪.୬୯ ଫୁଟ, ଜୁଲାଇ ୧୫ ତାରିଖରେ ୫୯୨.୫୦ ଫୁଟ, ଜୁଲାଇ ୩୧ ତାରିଖରେ ୫୯୫.୪୩ ଫୁଟ ରହିଥିଲା ।

ସେପ୍ଟେମ୍ବର ମାସରେ ଜଳସ୍ତର ବୃଦ୍ଧି ପାଇବାରୁ ୩ ତାରିଖରେ ଡ୍ୟାମ୍‌ ଗେଟ୍‌ ଖୋଲାଯାଇ ଥିଲା । ସେହି ବର୍ଷ ସର୍ବାଧିକ ଜଳସ୍ତର ୬୨୬ ଫୁଟ ପର୍ଯ୍ୟନ୍ତ ହିଁ ପହଞ୍ଚିଥିଲା । ଚଳିତ ବର୍ଷର ସ୍ଥିତି ୨୦୦୨ ମସିହା ଭଳି ସଂଗିନ ନ ଥିଲେ ବି ପାଖାପାଖି ଅବସ୍ଥାରେ ପହଞ୍ଚିଛି । କିନ୍ତୁ ଏହି ୧୭ ବର୍ଷ ମଧ୍ୟରେ ଜଳଭଣ୍ଡାରେ ପଟୁ ପରିମାଣ ଯଥେଷ୍ଟ ବୃଦ୍ଧି ପାଇ ଜଳଧାରଣ କ୍ଷମତା ହ୍ରାସ ପାଇଥିବାରୁ ସ୍ଥିତି ଗୁରୁତର ବୋଲି ମନେ କରାଯାଉଛି । କେବଳ ୩୦ ତାରିଖର ବର୍ଷା ହିଁ ଶେଷ ଆଶା ରହିଛି ।

ସେପଟେ ଗବେଷକ ବିମଳ ପାଣ୍ଡିଆଙ୍କ ଦ୍ବାରା ସଂଗୃହୀତ ତଥ୍ୟ କହୁଛି, ୨୦୦୬ ମସିହା ଜୁଲାଇ ୨୭ ତାରିଖରୁ ଏ ପର୍ଯ୍ୟନ୍ତ, ଆଜିର ଦିନ ଅର୍ଥାତ ଜୁଲାଇ ୨୮ ତାରିଖରେ ଜଳଭଣ୍ଡାରର ଜଳସ୍ତର ସର୍ବନିମ୍ନ ସ୍ତରକୁ ଖସି ଯାଇଛି । ଗତ ୧୩ ବର୍ଷ ମଧ୍ୟରେ ଜଳସ୍ତର କେବେ ବି ଏତେ ହ୍ରାସ ପାଇନଥିଲା । ଏହାର ପ୍ରଭାବ ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିଛି । ଜୁଲାଇ ୨୭ ତାରିଖରେ ଉଭୟ ବୁର୍ଲା ଓ ଚିପିଲିମାରୁ ମିଶି ହାରାହାରି ମାତ୍ର ୧୪.୮ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହୋଇଛି । ବିଗତ ୧୩ ବର୍ଷର ହିସାବ ଦେଖିଲେ ଏହି ତାରିଖରେ ହାରାହାରି ୧୬୭.୪ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହୋଇଥିଲା । ଚଳିତ ବର୍ଷ ଏହି ଦିନର ଉତ୍ପାଦନ ହାରାହାରି ବିଦ୍ୟୁତ ଉତ୍ପାଦନର ମାତ୍ର ୯% ।

 

କେବଳ ଜଳସ୍ତର ହ୍ରାସ ସମସ୍ୟାର କାରଣ ନୁହେଁ । ଉପମୁଣ୍ଡରେ ବର୍ଷା ହେଉନଥିବାରୁ ଜଳଭଣ୍ଡାରକୁ ଆସୁଥିବା ପାଣିର ପରିମାଣ ହ୍ରାସ ପାଉଛି । ବିମଳ ପାଣ୍ଡିଆ କହନ୍ତି, ହୀରାକୁଦ ବନ୍ଧର ପରିଚାଳନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ‘ରୁଲ କର୍ଭ’ ଅନୁସାରେ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାର ସମ୍ପୂର୍ଣ୍ଣ ଖାଲି ବା (ଡେଡ୍‌ ଲେଭଲ୍‌) ୫୯୦ ଫୁଟରେ ରହିବା କଥା । ସେହି ହିସାବରେ ଦେଖିଲେ ଚଳିତ ବର୍ଷ ଥିବା ସ୍ତରକୁ ନେଇ ଆଶ୍ଚର୍ଯ୍ୟ ହେବା କଥା ନୁହେଁ । କିନ୍ତୁ ହୀରାକୁଦ ବନ୍ଧ ଆଉ ‘ରୁଲ୍‌ କର୍ଭ’ ଅନୁସାରେ ପରିଚାଳିତ ହେଉନାହିଁ । କାରଣ ଜଳଭଣ୍ଡାରକୁ ଜଳ ପ୍ରବେଶ ତଥା ଜଳର ବ୍ୟବହାରରେ ଅନେକ ପରିବର୍ତ୍ତନ ହୋଇଛି ।

୧୯୮୮ରୁ ବନ୍ଧ ପରିଚାଳନା ପାଇଁ ବାଟ ଦେଖାଉଥିବା ‘ରୁଲ କର୍ଭ’ ଏକ ପ୍ରକାର ବେକାର ହୋଇ ସାରିଛି । ଜଳଭଣ୍ଡାରର ଲାଇଭ୍‌ ଷ୍ଟୋରେଜ୍‌ ବା ବ୍ୟବହାରଯୋଗ୍ୟ ଜଳ ଭଣ୍ଡାରର କ୍ଷମତା ଆରମ୍ଭରେ ୪.୭୨ ନିୟୁତ ଏକର ଫୁଟ ଥିଲା । ଜଳଭଣ୍ଡାର ପରିପୂର୍ଣ ହୋଇ ଜଳସ୍ତର ୬୩୦ ଫୁଟକୁ ପହଞ୍ଚିଲେ ଏତିକି ବ୍ୟବହାରଯୋଗ୍ୟ ପାଣି ରହୁଥିଲା । ପଟୁ ଜମା ହେବା କାରଣରୁ ହୀରାକୁଦର ଲାଇଭ୍‌ ଷ୍ଟୋରେଜ୍‌ ବହୁ ପରିମାଣରେ ହ୍ରାସ ହୋଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ୨୦୦୭ ମସିହାରେ ଇଂଜିନିୟର ଜୟସେଲନଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟି ଆକଳନ କରିଥିଲେ ଯେ ହୀରାକୁଦର ଲାଇଭ ଷ୍ଟୋରେଜ ପ୍ରାୟ ଏକ-ଚତୁର୍ଥାଂଶ ହ୍ରାସ ପାଇ ୩.୭୭ ନିୟୁତ ଏକର ଫୁଟକୁ ଖସି ଆସିଥିଲା । ସେହି ହିସାବରେ ପଟୁ ଜମା ହୋଇ ଚାଲିଥିଲେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ଅନ୍ତତଃ ୩.୫୪ ନିୟୁତ ଏକର ଫୁଟକୁ ଖସି ସାରିଥିବ । ଆଗାମୀ ଦିନରେ ଜଳଭଣ୍ଡାରର ଜଳସ୍ତର କେଉଁ ଆଡ଼କୁ ଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।