କନକ ବ୍ୟୁରୋ : କଟକ ଓ ଭୁବନେଶ୍ୱରର ବର୍ଜ୍ୟଜଳ ନିଷ୍କାସନ ଓ ପରିଚାଳନା ପାଇଁ କାର୍ଯ୍ୟ କରୁଥିବା ଜାଇକାର ସମସ୍ତ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ । ଆଉ ଡିସେମ୍ବର ଶେଷ ସୁଦ୍ଧା ଏଗୁଡ଼ିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ।
ସଚିବାଳୟରେ ବସିଥିବା ବୈଠକରେ ଏହି ଦୁଇ ସହରରେ ସ୍ୱେରେଜ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବାଧକ ସାଜିଥିବା ରେଲେଓ୍ଵ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଜମି ଉପରେ ଆଲୋଚନା ହୋଇଥିଲା । ରେଲେଓ୍ଵ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଖୁବ୍ଶୀଘ୍ର ଜମି ଯୋଗାଇ ଦେବାକୁ ରାଜି ହେବା ପରେ ଜାଇକା ପ୍ରକଳ୍ପର ଡେଡଲାଇନ୍ ସ୍ଥିର ହୋଇଛି । ଜାଇକା ପ୍ରକଳ୍ପ ନେଇ ରେଲେଓ୍ଵର ଖାନନଗରରେ ପମ୍ପିଂ ଷ୍ଟେସନ, ଗଣ୍ଡରପୁରରୁ ଓଏମ୍ପି ଛକ ପର୍ଯ୍ୟନ୍ତ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଥିଲା । ସେହିପରି ଓଏମ୍ପି, ପ୍ରେସ୍ ଛକ, ତାଳଦଣ୍ଡା କେନାଲ, ଓଏମ୍ପି-ଓଏଫ୍ଏସ୍ସି ଅଫିସ, ଲିଙ୍କରୋଡ୍-ମାଛ ଗୋଦାମ ନିକଟରେ ରାସ୍ତା ଅତିକ୍ରମ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁମତି ଦରକାର ଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦୁଇ ସଂସ୍ଥା ଜାଇକାକୁ ସହଯୋଗ କରିବାକୁ ରାଜି ହୋଇଛନ୍ତି ।
ଜାଇକା କଟକରେ ୩୮୨କିମି ଏବଂ ଭୁବନେଶ୍ୱରରେ ୨୫୨କିମି ସ୍ୱେରେଜ୍ ପ୍ରକଳ୍ପ କରୁଥିବା ବେଳେ ମୋଟ ପ୍ରକଳ୍ପର ୫୫% କାର୍ଯ୍ୟ ଶେଷ ହୋଇଛି । ଜୋନ୍ ୧ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଏହାକୁ ଆସନ୍ତା ଡିସେମ୍ବରରେ କାର୍ୟ୍ୟକ୍ଷମ କରାଯିବ । ଜାଇକା ପୂରା କଟକ ଏବଂ ଭୁବନେଶ୍ୱରର ଡିଷ୍ଟ୍ରିକ୍ଟ ୬ (ପଳାସୁଣିରୁ ସିଆରପି ଛକ ପର୍ଯ୍ୟନ୍ତ ରାସ୍ତାର ଡାହାଣ ପାର୍ଶ୍ୱ ଅଞ୍ଚଳ)ରେ କାର୍ଯ୍ୟ କରୁଥିବା ବେଳେ ବାକି ଅଞ୍ଚଳରେ ସ୍ୱେରେଜ୍ ବୋର୍ଡ କରୁଛି । ଜାଇକା କଟକରେ ୩୮୨କିମି ଏବଂ ଭୁବନେଶ୍ୱରରେ ୨୫୨କିମି କାର୍ଯ୍ୟ କରୁଥିବା ବେଳେ ଏଥିରେ ତିନିଟି ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ରହିଛି । ଏଥିରେ କଟକ ପାଇଁ ଦୁଇଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ଥିବା ବେଳେ ଭୁବନେଶ୍ୱର ପାଇଁ ଗୋଟିଏ ରହିଛି । ସେହିପରି ୪୮ଟି ପମ୍ପିଂ ଷ୍ଟେସନ୍ ଏବଂ ୭ଟି ସୁଇସ୍ ଗେଟ୍ ଦୁଇ ସହରରେ ରହିଛି । ଏହାସହ କଟକରେ ୨୩୦୪୩ ମିଟର ବା ୨୩.୦୪୩ କିମି ଡ୍ରେନେଜ୍ ବ୍ୟବସ୍ଥା ହେଉଛି । ଏହି ପ୍ରକଳ୍ପ ପାଇଁ ୨୯୭୪କୋଟି ଖର୍ଚ୍ଚ ବରାଦ ହୋଇଥିବା ବେଳେ ରାଜ୍ୟ ସରକାର ୫୯୪କୋଟି ଏବଂ ଜାଇକା ୨୩୮୦କୋଟି ଅର୍ଥ ସହାୟତା ଦେଉଛି ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ସହରରେ ମୋଟ ପ୍ରକଳ୍ପର ୫୫% କାର୍ଯ୍ୟ ଶେଷ ହୋଇଥିବା ବେଳେ ସ୍ୱେରେଜ୍ ଲାଇନ୍ ବିଛାଇବା କାର୍ଯ୍ୟ ୬୧ରୁ ୫୦% ପର୍ୟ୍ୟନ୍ତ ଶେଷ ହୋଇଛି । ପମ୍ପିଂ ଷ୍ଟେସନ କାର୍ଯ୍ୟ ୬୩% ଶେଷ ହୋଇଛି । ଡ୍ରେନେଜ୍ କାର୍ଯ୍ୟ ବି ଦ୍ରୁତ ଗତିରେ ଚାଲିଛି । ଏପରିକି କେଉଁଦିନ କେତେ ପ୍ରକଳ୍ପ କାର୍ଯ୍ୟ ହେଉଛି, କେଉଁ ଘରକୁ ସଂଯୋଗ ଦିଆଯାଉଛି ତା’ର ଜିଆଇଏସ୍ ଭିତ୍ତିକ ତଥ୍ୟ ରଖାଯାଉଛି । ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର, ଜାଇକାର ବସନ୍ତ କୁମାର ପରିଡ଼ାଙ୍କ ସମେତ ରେଲେଓ୍ଵ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ସ୍ୱେରେଜ୍ ବୋର୍ଡ ଏବଂ ଜାଇକାର ଅଧିକାରୀମାନେ ଉପସ୍ଥିତ ଥିଲେ ।