ମାଆ-ଝିଅ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋର ମାଲିକାନାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ :  ୨୦୧୫ରେ ଗାଡି ବିକ୍ରି କରିଥିଲେ ଅନୁପ,  ୨୦୧୭ରେ ଆଉ ଜଣଙ୍କୁ ବିକ୍ରି ହୋଇଥିଲା ଗାଡ଼ି 

471

କନକ ବ୍ୟୁରୋ : ମାଆ –ଝିଅ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋର ମାଲିକାନାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ପୋଲିସର ସୂଚନା ଅନୁଯାୟୀ ଏହି ବୋଲେରୋ ଗାଡିକୁ ୨୦୧୫ରେ ସୁନୀଲ ସାଇଦେଓଙ୍କୁ ବିକ୍ରି କରିଦେଇଥିଲେ ଅନୁପ ସାଏ । ଆଉ ତାପରେ ୨୦୧୭ରେ ପୁଣି ସୁନୀଲ ସେହି ଗାଡିକୁ ଆଉଜଣଙ୍କୁ ବିକ୍ରି କରିଥିଲେ । ହେଲେ ବର୍ତ୍ତମାନ ଗାଡିଟି କାହା ମାଲିକାନାରେ ରହିଛି ତାହା ସ୍ପଷ୍ଟ ହୋଇପାରିନି । ଏନେଇ ଅଧିକ ତଦନ୍ତ କରୁଛି ଛତିଶଗଡ ପୋଲିସ୍ । ଅନ୍ୟପଟେ ଗାଡିକୁ ବିକ୍ରି କରିବା ପରେ ୨୦୧୬ରେ ଅନୁପ ସାଏ କିଭଳି କଳ୍ପନା ଦାସ ଓ ବବଲିର ହତ୍ୟାକାଣ୍ଡରେ ବ୍ୟବହାର କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଅର୍ଥାତ ଅନୁପ ଗାଡିର ମାଲିକାନାକୁ କାଗଜପତ୍ରରେ ପରିବର୍ତନ କରିଥିଲେ ବି ନିଜ ପାଖରେ ରଖି ବ୍ୟବହାର କରୁଥିଲେ କି ? ଏସବୁର ତଦନ୍ତ କରିବ ଛତିଶଗଡ ପୋଲିସ୍ ।

ଅନ୍ୟପଟେ ଅନୁପଙ୍କ ବଡ ଭାଇ ପ୍ରମୋଦ କୁମାର ସାଏ ତାଙ୍କ ଭାଇ ଅନୁପ ସାଏଙ୍କ ନାଁରେ ମିଥ୍ୟା ଓ ଅତିରଞ୍ଜିତ ଖବର ପ୍ରସାରିତ ହେଉଥିବା ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ତାଙ୍କର ପୁରା ପରିବାର ମାନସିକ ଯନ୍ତ୍ରଣା ଓ ଭୟରେ ଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ବ୍ରଜରାଜନଗର ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି ପ୍ରମୋଦ । ଏଭଳି ମିଥ୍ୟା ଖବର ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରେସ କାଉନସିଲ ଅଫ ଇଣ୍ଡିଆ, ଓଏଚଆରସି, ଝାରସୁଗୁଡା ଜିଲ୍ଳାପାଳ ଓ ଝାରସୁଗୁଡା ଏସପିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ପ୍ରମୋଦ  ।