The Prime Minister, Shri Narendra Modi presenting the keys of ambulance to the Chief Minister of Odisha, Shri Naveen Patnaik.
୨୦୧୯ ନିର୍ବାଚନର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ରକୁ ନେଇ ଯେତେବେଳେ ଦୁଇ ରାଜନୈତିକ ଦଳ ମୁହାଁମୁହିଁ ହେଉଥିଲେ, ସେତେବେଳେ ହୁଏତ ଖୁବ କମ ଲୋକ ଏହି ଧାରଣା ଭିତରକୁ ଆସିଥିବେ ଯେ, ଆଗାମୀ ଦିନରେ ଦୁଇଟି ଯାକ ଅସ୍ତ୍ର ଏକାଠି ହୋଇଯିବେ । ନିର୍ବାଚନ ସରିବା ସହିତ ଏବେ ରାଜନୀତି ପାଣିପାଗ କିଛି ଏଭଳି ରଙ୍ଗ ବଦଳାଉଛି, ଠିକ ଯେମିତି ନିର୍ବାଚନ ବେଳେ ପରସ୍ପରକୁ ପ୍ରସଙ୍ଗ ଧରି ଆଘାତ କରୁଥିବା ନେତାଙ୍କ ମିଜାଜ ବଦଳୁଛି ।
କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ସରକାର ଆସିବା ପରେ ସବୁଠାରୁ ଚକିତ କଲା ଭଳି ପ୍ରସଙ୍ଗଟି ସାମ୍ନାକୁ ଆସିଲା, ଯେତେବେଳେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଶାଇବା ପାଇଁ ଶୀର୍ଷ ସ୍ତରରେ ଆଲୋଚନା ହେଲା । ଆଉ ଏବେ କଥା କାଳିଆ-କିଷାନ ମିଶ୍ରଣ ଯାଏଁ ଗଲାଣି ।
ନିର୍ବାଚନ ବେଳର ସେହି ରାଲି କଥା ମନେ ପକାନ୍ତୁ ଯେତେବେଳେ ଷ୍ଟେଜ ଉପରେ ଠିଆ ହୋଇ ନବୀନ କହୁଥିଲେ, ମୁଁ ବଂଚିଥିଲା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ଆଉ ମୋଦି କହୁଥିଲେ, କିଏ ଟିକେ ନବୀନ ବାବୁଙ୍କୁ ବୁଝାନ୍ତୁ, କାହିଁକି କେନ୍ଦ୍ରୀୟ ଯୋଜନାର ଲାଭରୁ ଓଡିଶାବାସୀଙ୍କୁ ବଂଚିତ କରାଯାଉଛି । ହେଲେ ସମୟ ବଦଳିବା ସହିତ ଏବେ ଉଭୟ କେନ୍ଦ୍ର ଆଉ ରାଜ୍ୟର ମନେ ପଡିଛି, ସଂଘୀୟ ଗଣତନ୍ତ୍ରରେ ଲୋକଙ୍କ ବିକାଶ କରିବାକୁ ହେଲେ ଉଭୟଙ୍କୁ ମିଳିମିଶି କାମ କରିବାକୁ ପଡିବ । ସତେ ଯେମିତି ନିର୍ବାଚନ ବେଳେ ସଂଘୀୟ ଗଣତନ୍ତ୍ର ବୋଲି କିଛି ନଥିଲା । ପ୍ରଶ୍ନ ଉଠିବା ସ୍ୱାଭାବିକ, କାହିଁକି ହଠାତ ଏହି ଆଭିମୁଖ୍ୟ ଦେଖିବାକୁ ମିଳିଲା?
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବନାମ ଆୟୁଷ୍ମାନ
ନିର୍ବାଚନ ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସ୍ୱାସ୍ଥ୍ୟସୁବିଧା ଯୋଗାଇବାକୁ ଏହି ଯୋଜନା ଆରମ୍ଭ କଲେ । ରାଜ୍ୟ ବାହାରେ କିଏ ଚିକିତ୍ସା ପାଇପାରିବ, କାହାର ଯୋଜନା ଭଲ, ତାକୁ ନେଇ ପୁଂଜା ପୁଂଜା ବିତର୍କ ଆଉ ଖବର କାଗଜରେ ପୃଷ୍ଠା ପୃଷ୍ଠା ବିଜ୍ଞାପନ ଏବଂ ମତମନ୍ତବ୍ୟ ଭିତରେ ନିର୍ବାଚନ ସରିଗଲା । ଆଉ ଯିଏ ଯାହାର ଲାଭ ପାଇସାରିବା ପରେ, ଏବେ ପୁଣି ଏକାଠି ଚାଲିବାକୁ କଥାବାର୍ତ୍ତା ଆରମ୍ଭ କରିଦେଲେ । ଅର୍ଥାତ୍ ଦୁଇଟି ଯାକ ଯୋଜନାକୁ କେଉଁଭଳି ମିଶଯାଇପାରିବ । ଉଭୟରେ ତ ହିତାଧିକାରୀ ଚୟନର ମାପଦଣ୍ଡ ଓ ସହାୟତା ରାଶି ଅଲଗା ଅଲଗା
ଦେଶ ପୂର୍ବରୁ ଓଡିଶା
ସାରା ଦେଶରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବାର ପାଖାପାଖି ମାସେ ଆଗରୁ ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ ରାଜ୍ୟ ସରକାର । ପରିବାରକୁ ୫ ଲକ୍ଷ ଏବଂ ମହିଳାଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ସରକାର ଯୋଜନାରେ ବ୍ୟବସ୍ଥା କଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ବାହାରର କେଉଁ ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା ମିଳିପାରିବ ତାର ତାଲିକା ଦେବା ସହ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ମାଗଣା ଚିକିତ୍ସା କଥା ମଧ୍ୟ ଘୋଷଣା କରିଦେଲେ ।
ନିର୍ବାଚନ ପରେ ଆଭିମୁଖ୍ୟ?
୨୦୧୯ ନିର୍ବାଚନ ସରିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଢୁଥିବା ନିବିଡତାର ସବୁଠାରୁ ବଡ ଉଦାହରଣ ସୃଷ୍ଟି ହେଲା ଯେତେବେଳେ କେନ୍ଦ୍ରରୁ ଟିମ ଆସି ରାଜ୍ୟ ସହ ଆଲୋଚନା କେଲ ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ । ରାଜ୍ୟରୁ ସକରାତ୍ମକ ଆଭିମୁଖ୍ୟ ମିଳିବା ପରେ ନିଷ୍ପତ୍ତି ହେଲା ଯେ, ଯେଉଁ ସବୁ ମାପଦଣ୍ଡରେ ଓଡିଶାର ଆଭିମୁଖ୍ୟ ବା ଯୋଜନା ଅଲଗା କଥା କହୁଛି, ତାକୁ କେଉଁଭଳି ଭାବରେ ସନ୍ତୁଳିତ କରାଯିବ । ବାସ୍, ଏଠି କଥା ଅଟକିବା ପରେ କଥାବାର୍ତ୍ତାର ଚୁଡାନ୍ତ ରୂପରେଖ ବର୍ତ୍ତମାନ ସୁଦ୍ଧା ଗଣମାଧ୍ୟମକୁ ଆସିନାହିଁ । ଅର୍ଥାତ୍, କେଉଁଠି ନା କେଉଁଠି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହମତି ଆସିପାରୁନାହିଁ ।
କାଳିଆ ବନାମ କିଷାନ
ରାଜ୍ୟର କାଳିଆ ଓ କେନ୍ଦ୍ରର କିଷାନ ଯୋଜନା ମଧ୍ୟରେ ମଧ୍ୟ ଠିକ ସେମିତି ବିବାଦ ଦେଖିବାକୁ ମିଳିଥିଲା । ନିଜ ନିଜ ଯୋଜନାକୁ ଶ୍ରେଷ୍ଠ କହି ଯେତେବେଳେ ଭୋଟ ମଗାଯାଉଥିଲା, ସେତେବେଳେ ଏହାର ପରିକଳ୍ପନା କରାଯାଇନଥିଲା ଯେ, ଆଗାମୀ ଦିନରେ ଦୁଇ ଯୋଜନା ମିଶିଯିବ । ହେଲେ ସମୟ କ୍ରମରେ ଏହାର ମିଶ୍ରଣ ନେଇ ସବୁଜ ସଂକେତ ମିଳିସାରିଛି । ହେଲେ ଯୋଜନା ମିଶିବା ପରେ ଭିନ୍ନ ଭିନ୍ନ ମାପଦଣ୍ଡ ଉପରେ ଆଭିମୁଖ୍ୟ କଣ ରହିବ, ତାହା ଚୁଡାନ୍ତ ହୋଇପାରିନାହିଁ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନାର ମିଶ୍ରଣରେ ଯେଉଁ ସମସ୍ୟା ରହିଛି, ଠିକ ସେହି ସମସ୍ୟା କାଳିଆ ଓ କିଷାନ ଯୋଜନା ମିଶିବାରେ ରହିଛି । ଅର୍ଥାତ୍, ଭୂମିହୀନ ଶ୍ରମିକ, ଚାଷୀ ଓ ଭାଗଚାଷୀ ଏମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା କଥା କାଳିଆ ଯୋଜନାରେ ଥିଲା, ତାହା କିଷାନରେ ନଥିବା ଡିଣ୍ଡିମ ପିଟିଥିଲେ ରାଜ୍ୟ ସରକାର । ଆଉ ଏବେ ଯଦି କେନ୍ଦ୍ରର ମାପଦଣ୍ଡ ଅନୁସାରେ ତାଲିକା ତିଆରି ହୁଏ ତେବେ ଅନେକ ଚାଷୀ ଆଉ ଚାଷୀ ଶ୍ରମିକ ଯୋଜନାରୁ ବାଦ ପଡିବାର ଆଶଙ୍କା ରହୁଛି । ଏହି ଅସଙ୍ଗତିକୁ କେଉଁଭଳି ଭାବେ ଦୂର କରାଯାଇ ପାରିବ, ସେନେଇ କୈାଣସି ଠୋସ ନିଷ୍ପତ୍ତି ହୋଇପାରୁନଥିବା ଜଣାପଡିଛି ।
ହିତାଧିକାରୀ ତାଲିକାରେ ଫରକ
କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଏଯାଏଁ ରାଜ୍ୟରେ ୩୬ ଲକ୍ଷରୁ ଅଧିକ ଚାଷୀଙ୍କୁ ପିଏମ-କିଷାନ ଯୋଜନାରେ ସହାୟତା ମିଳିସାରିଥିବା ବେଳେ ରାଜ୍ୟରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ମିଳିସାରିଛି । ତେଣୁ କୈାଣସି ନା କୈାଣସି ସ୍ଥାନରେ ଯଦି ଉଭୟ ଯୋଜନା ମିଶିଯାଉଛି, ତେବେ ତାଲିକାରୁ ବହୁ ଚାଷୀ ବାଦ ପଡିବାର ସମ୍ଭାବନା ସୃଷ୍ଟି ହେଉଛି । ସେମାନଙ୍କ ସ୍ୱାର୍ଥ ପ୍ରତି କିଭଳି ଆଂଚ ଆସିବନି, ତାକୁ ଚିନ୍ତା କରିବାର ଆବଶ୍ୟକତା ବର୍ତ୍ତମାନ ରହିଛି, କାରଣ ସରକାର ଦେଇଥିବା ପ୍ରତିଶ୍ରୁତି ଆଉ ପାଳନ କରିବା ଭିତରେ ଯଦି କିଛି ଫରକ ଆସିଯାଏ, ତେବେ ଏହା ଅଡୁଆ ସ୍ଥିତି ନିହାତି ସୃଷ୍ଟି କରିବ ।
କଣ ହୋଇପାରେ ସ୍ଥିତି?
ଚର୍ଚ୍ଚା ହେଉଛି. ଉଭୟ ଯୋଜନାକୁ ମିଶାଇବା ପରେ ଯେଉଁ ଚାଷୀମାନେ ବାଦ ପଡିଯିବେ, ସେମାନଙ୍କ ପାଇଁ କାଳିଆ ଯୋଜନା ଜାରି ରହିବ । ଠିକ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟରୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ଯୋଜନା ଆଣିଲା ଭଳି । ଅର୍ଥାତ୍, କେନ୍ଦ୍ର ଓ ରାଜ୍ୟର ତାଲିକା ପ୍ରସ୍ତୁତି ପରେ ମଧ୍ୟ ଯେଉଁ ଚାଷୀ ମାନେ ବାଦ ପଡିଯିବେ, ସେମାନଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ଚାଲୁ ରଖିପାରନ୍ତି । ଏଭଳି ହେଲେ ଯେଉଁ ବଡ ଆର୍ଥିକ ବୋଝ ରାଜ୍ୟ ସରକାରଙ୍କ ଉପରେ ପଡୁଥିଲା, ତାହା କିଛି ମାତ୍ରାରେ କମିଯିବ ।
ଖାଦ୍ୟ ସୁରକ୍ଷାରେ କଣ ହୋଇଛି?
କେନ୍ଦ୍ରର ଖାଦ୍ୟ ସୁରକ୍ଷା ଯୋଜନାରେ ବାଦ ପଡିଥିବା ୩୪ ଲକ୍ଷ ୪୪ ହଜାର ଲୋକଙ୍କ ପାଇଁ ରାଜ୍ୟରେ ଆରମ୍ଭ ହେଲା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ଆମ ମୁଖ୍ୟମନ୍ତ୍ରୀ, ଆମ କଥା କାର୍ଯ୍ୟକ୍ରମରେ କରାଯାଇଥିବା ଏହି ଘୋଷଣା ବଡ ସଂକେତ ମିଳିଲା, ଯେତେବେଳେ ନବୀନ କହିଲେ, ଲୋକଙ୍କ ଅର୍ଥରେ ଲୋକଙ୍କ ପାଇଁ ଯୋଜନା କରାଗଲା ।
୨୦୦୮ରୁ ରାଜ୍ୟରେ ୨ ଟଙ୍କିଆ ଚାଉଳ, ୨୦୧୩ରେ ଟଙ୍କିକିଆ ଚାଉଳ ନିର୍ବାଚନରେ ବିଜେଡିକୁ ଭୋଟ ଅଜାଡି ଦେଲା ଭଳି ୨୦୧୯ରେ ମଧ୍ୟ ବିଜେଡି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ନାଁରେ ବେଶ ଫାଇଦାରେ ରହିଲା । କେନ୍ଦ୍ରର ବିନା ସହଯୋଗରେ ଏତେ ସଂଖ୍ୟକୁ ଲୋକଙ୍କ ପାଇଁ ରାଜ୍ୟ ସରକାର ଠିଆ ହୋଇଥିବା ବାର୍ତ୍ତା ଦେଲେ । ଆଉ ଯାହା ତଥ୍ୟ ବର୍ତ୍ତମାନ ସମୟରେ ମିଳୁଛି, ଠିକ ସମାନ ଆଭିମୁଖ୍ୟ କାଳିଆ ଯୋଜନା କ୍ଷେତ୍ରରେ ଦେଖିବାକୁ ମିଳିପାରେ ।
ଡବଲ ଇଂଜିନ ସରକାର?
ନିର୍ବାଚନ ପୂର୍ବରୁ ଏହି ଶଦ୍ଦ ବେଶ ଚହଳ ସୃଷ୍ଟି କରୁଥିଲା । ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢି ବିକାଶର ଇଂଜିନ ଲଗାଇବାକୁ ମୋଦୀ ଆହ୍ୱାନ ଦେଉଥିଲେ । ହେଲେ ସେତେବେଳେ ଓଡିଶାରେ ଲୋକ ବିଜେଡି ଇଂଜିନକୁ ବାଛିଥିବା ବେଳେ ଦିଲ୍ଲୀରେ ବିଜେପି ଇଂଜିନ ଆସିଥିଲା । କୁହାଯାଉଛି, ସମୟକ୍ରମେ ଇଂଜିନ ଅଲଗା ଅଲଗା ରହିବା ବଦଳରେ ସଂଘୀୟ ଗଣତନ୍ତ୍ର ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ଉତ୍ତମ ସଂପର୍କର ଦ୍ୱାହି ଦେଇ ଗୋଟିଏ ଇଂଜିନ ହୋଇଯାଇଛି । ନବୀନଙ୍କ ସେତେବେଳର ମନ୍ତବ୍ୟ ମଧ୍ୟ ଡବଲ ଇଂଜିନ ଉପରେ ଯଥେଷ୍ଟ ମହତ୍ତ୍ୱପୂର୍ଣ୍ଣ, ଯେତେବେଳେ ସେ କହୁଥିଲେ, ମହିଳାଙ୍କ ସଶକ୍ତୀକରଣ ହିଁ ପ୍ରକୃତ ଡବଲ ଇଂଜିନ ।
ଏହାରି ଭିତରେ ଅନେକ ରାଜନୈତିକ ସମୀକରଣ ବଦଳିସାରିଛି । ବିଜେଡି ହାତରେ ଥିବା ସତ୍ତେ୍ୱ ଗୋଟିଏ ରାଜ୍ୟସଭା ଆସନକୁ ନବୀନ ବିଜେପି ହାତକୁ ଟେକିଦେଲେ । ଆଉ ସେବେଠାରୁ ଏହି ଡବଲ ଇଂଜିନର କଥା ନୂଆ ଏକ ଚର୍ଚ୍ଚାର ଖୋରାକ ଯୋଗାଇଛି । ଯେତେବେଳେ, ଯୋଜନା ମିଶୁଛି, ମନ ମିଶୁଛି ଏବଂ ଏହା ପଛରେ ଉଦାହରଣ ସଂଘୀୟ ଗଣତନ୍ତ୍ରର ଦିଆଯାଉଛି । ହୁଏତ ପରଦା ପଛରେ ଥିବା ଗୁଢ ରାଜନୈତିକ ରହସ୍ୟ ଉପରକୁ କମ ଦେଖାଯାଉଛି, ଆଉ ଭିତରେ ଭିତରେ ମାଡି ଚାଲିଛି ।
Follow Us