ସ୍ମାର୍ଟଫୋନଧାରୀ ବ୍ୟାଙ୍କ ଗ୍ରାହକଙ୍କୁ ମାଗଣା ‘ଓ୍ଵାଇଫାଇ’ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ନିଷେଧ । ଏହା ଜରିଆରେ କୌଣସି ପ୍ରକାର ଅନ୍ଲାଇନ୍ ଅର୍ଥ କାରବାର କରୁଥିଲେ ସାବଧାନ । ସାଇବର ଅପରାଧୀ ଜମା ଖାତାରୁ ସମସ୍ତ ଟଙ୍କା ଚୋରି କରିନେବେ । ‘ଓ୍ଵାଇ-ଫାଇ’ ମାଧ୍ୟମରେ ଇଣ୍ଟର୍ନେଟ୍ ବ୍ୟବହାର ହୋଇଥିବାରୁ ପରବର୍ତ୍ତି ସମୟରେ ଅପରାଧୀକୁ ଠାବ କରିବାରେ ସମସ୍ୟା ହୋଇପାରେ । ଏ ନେଇ ରାଜ୍ୟ କ୍ରାଇମ୍ବ୍ରାଞ୍ଚ ବ୍ୟାଙ୍କ ଗ୍ରାହକଙ୍କ ଉଦ୍ଦେଶ୍ୟରେ ସତର୍କବାଣୀ ଜାରି କରିଛି ।
ଦେଶରେ ଦିଲ୍ଲୀ, ମୁମ୍ବାଇ ପରେ ଓଡ଼ିଶା ଆଡ଼କୁ ମୁହାଁଇଲେଣି ‘ସିମ୍ ସ୍ୱାପ୍’ କରୁଥିବା ସାଇବର୍ ଅପରାଧୀ । ସମ୍ପୂର୍ଣ୍ଣ ନୂଆ ଧରଣର ଏହି ଅପରାଧୀଙ୍କୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଆଜି ରାଜ୍ୟ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ସାଧାରଣ ବ୍ୟାଙ୍କ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି । ବ୍ୟାଙ୍କର କୌଣସି କର୍ମଚାରୀ କିମ୍ବା ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାକୁ ଟେଲିଫୋନ୍, ଇମେଲ୍ କିମ୍ବା ମ୍ୟାସେଜ୍ ମାଧ୍ୟମରେ କଷ୍ଟମର୍ ଆଇଡି, କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ନମ୍ବର, ଏକ୍ସପାରୀ ଡେଟ୍, ସିଭିଭି ନମ୍ବର ସେୟାର କରିବା ସମ୍ପୂର୍ଣ୍ଣ ନିଷେଧ । ଗ୍ରାହକଙ୍କ ମୋବାଇଲ୍ ଫୋନ୍ରେ କୌଣସି ସମୟରେ କଲ୍ କିମ୍ବା ମ୍ୟାସେଜ୍ ସେବା କାର୍ଯ୍ୟକ୍ଷମ ନକଲେ ତୁରନ୍ତ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ସହିତ ଯୋଗାଯୋଗ କରିବା ଆବଶ୍ୟକ । ପ୍ରତ୍ୟେକ ଦିନ ଗ୍ରାହକ ନିଜ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ଷ୍ଟେଟ୍ମେଣ୍ଟ ଯାଞ୍ଚ କରିବା ଜରୁରି । ଯଦ୍ୱାର କୌଣସି ସନ୍ଦେହଜନକ ଅର୍ଥ କାରବାର ଉପରେ ଗ୍ରାହକ ସହଜରେ ନଜର ରଖିପାରିବେ । ବ୍ୟାଙ୍କର ଜମା ଖାତା ସହିତ ନିଜସ୍ୱ ଇ-ମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବରକୁ ପଞ୍ଜିକରଣ କରାଗଲେ, ଅର୍ଥ କାରବାର ସମ୍ପର୍କରେ ତୁରନ୍ତ ମ୍ୟାସେଜ୍ ଆକାରରେ ଆଲର୍ଟ ଆସିପାରିବ ।
‘ସିମ୍ ସ୍ୱାପ୍’ କରୁଥିବା ସାଇବର୍ ଅପରାଧୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପରିଚୟରେ ଫୋନ୍ କରୁଛନ୍ତି । ଆକାଉଣ୍ଟ ନମ୍ବର ବ୍ଲକ କିମ୍ବା ସ୍ୱତନ୍ତ୍ର ଅଫର୍ ଆସିଥିବା କଥା କହି କ୍ରେଡିଟି କାର୍ଡ ନମ୍ବର, ଡେବିଟ୍ କାର୍ଡ ନମ୍ବର ଏବଂ ପଞ୍ଜିକରଣ ହୋଇଥିବା ମୋବାଇଲ୍ର ଓଟିପି ନମ୍ବର ହାସଲ କରିନେଉଛନ୍ତି । ବ୍ୟାଙ୍କ ଖାତା ସହିତ ସଂଯୋଗ ହୋଇଥିବା ଉକ୍ତ ମୋବାଇଲ୍ ନମ୍ବର ସମ୍ପର୍କରେ ବ୍ୟକ୍ତିଗତ ତଥ୍ୟ ହାସଲ କରି ଆଉ ଏକ ସିମ୍ କାର୍ଡ ପ୍ରସ୍ତୁତ କରୁଛନ୍ତି ଅପରାଧୀ। ଉକ୍ତ ସିମ୍ ନମ୍ବର ବ୍ୟବହାର କରି ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିବା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଆଜି ଜାରି ହୋଇଥିବା ପରାମର୍ଶବଳୀରେ ଦର୍ଶାଯାଇଛି ।