ଢେଙ୍କାନାଳ ଜିଲ୍ଲା ହସ୍ପିଟାଲରେ ଅଭାବନୀୟ ଘଟଣା : ଡାକ୍ତରଙ୍କ କଳି ଭିତରେ ଚାଲିଗଲା ରୋଗୀଙ୍କ ଜୀବନ

33

କନକ ବ୍ୟୁରୋ : ଡାକ୍ତର ମଣିଷ ସମାଜ ପାଇଁ ଭଗବାନ ସଦୃଶ । କାରଣ ତାଙ୍କ ଯୋଗୁଁ ଦୁର୍ଲଭ ଜୀବନ ବଂଚିପାରୁଛି । ହେଲେ ଆମେ ଡାକ୍ତରଙ୍କ ଉପରେ ଯେତେ ବିଶ୍ୱାସ କରୁଛୁ, ସେମାନେ କ’ଣ ତାଙ୍କ କାମ ପ୍ରତି ସେତିକତ ଯତ୍ନଶୀଳ ? ଆଜିକାଲି ବିଭିନ୍ନ ସମୟରେ ଖବର ଆସୁଛି ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଆଜି ବି ଏମିତି ଏକ ଖବର ଆସିଛି ।

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଆସିଛି ଏକ ସାଂଘାତିକ ଅଭିଯୋଗ । ଦୁଇ ଡାକ୍ତରଙ୍କ କଳି ମଧ୍ୟରେ ଜଣେ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଗଁନ୍ଦିଆ ଅଂଚଳର ତ୍ରୈଲୋକ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଦୁଇ ଦିନ ତଳେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଓପିଡି ଡାକ୍ତର ଓ ମେଡିସିନ୍ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ମଧ୍ୟରେ ରୋଗୀର ଚିକିତ୍ସାକୁ ନେଇ ବିବାଦ ଦେଖା ଦେଇଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସେମାନଙ୍କ ଯୁକ୍ତିତର୍କ ଭିତରେ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ତ୍ରୈଲୋକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଗାଁ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିଛନ୍ତି ଲୋକେ । ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରୁଥିବା ଜଣାପଡିଛି । ଚିକିତ୍ସାରେ ଅବହେଳା ଅଭିଯୋଗ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।