କର୍ତ୍ତବ୍ୟ ଆଗ, ଆଉ ସ୍ବାର୍ଥ ପଛ ! ଅଗ୍ରଣୀ କରୋନା ଯୋଦ୍ଧାଙ୍କୁ ସଲାମ୍ । କର୍ତ୍ତବ୍ୟ ପାଇଁ ବାହାଘରକୁ ସ୍ଥଗିତ ରଖିଲେ ଡାକ୍ତର ।

152

କନକ ବ୍ୟୁରୋ : କର୍ତ୍ତବ୍ୟ ଆଗ, ଆଉ ସ୍ବାର୍ଥ ପଛ । ତେଣୁ କର୍ତ୍ତବ୍ୟ ଆଗରେ ନିଜ ସ୍ବାର୍ଥକୁ ପଛରେ ପକାଇଛନ୍ତି ଜଣେ ଯୁବ ଡାକ୍ତର। କରୋନା ପାଇଁ ଯୋଦ୍ଧା ସାଜିଥିବା ଏହି ଡାକ୍ତର ଜଣକ ସ୍ଥିରୀକୃତ ବିବାହକୁ ସ୍ଥଗିତ କରି ନିଜ କର୍ତ୍ତବ୍ୟ ସମ୍ପାଦନାରେ କାଣିଚାଏ ଅବହେଳା କରିନାହାନ୍ତି । ଆଜି ପବିତ୍ର ଅକ୍ଷୟ ତୃତୀୟାରେ ତାଙ୍କ ବାହାଘର ଲଗ୍ନ ସ୍ଥିର ହୋଇଥିବା ବେଳେ ଏହାକୁ ସ୍ଥଗିତ ରଖି ନିଜ କର୍ତ୍ତବ୍ୟପରାୟଣର ନିଦର୍ଶନ ଦେଖାଇଥିବା ଡାକ୍ତର ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଡାକ୍ତର ରାକେଶ କୁମାର ବେହେରା । ଚଳିତ ବର୍ଷ କରୋନା କଟକଣା ପାଇଁ ଏକାଧିକ ପର୍ବପର୍ବାଣୀ ସାଙ୍ଗକୁ ଅନେକ ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଯାଇଛି । ଏହି କ୍ରମରେ ଡାକ୍ତର ବେହେରାଙ୍କ ବାହାଘର ମଧ୍ୟ ସ୍ଥଗିତ ହୋଇଯାଇଛି ।

ରାକେଶଙ୍କ ଘର ବାଲେଶ୍ବର ଜିଲ୍ଲାର ବଳରାମପୁରରେ । ଗତ ମାର୍ଚ୍ଚ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉଦଳାର ରଶ୍ମିରେଖା ସାହୁଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିଲା । ଆଜି ଅର୍ଥାତ୍ ଏପ୍ରିଲ୍ ୨୬ ତାରିଖରେ ତାଙ୍କର ବାହାଘର ପାଇଁ ଶୁଭଲଗ୍ନ ବାହାର କରାଯାଇଥିଲା । ଏଥିପାଇଁ ଉଭୟ ପରିବାର ପକ୍ଷରୁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ହୋଇସାରିଥିଲା। ହେଲେ ଠିକ୍ ବେଳକୁ କରୋନା କଟକଣା ସବୁକିଛି ବିଗାଡ଼ି ଦେଲା । ଗୋଟିଏ ପଟେ ଲକ୍‌ଡାଉନ୍ ସମୟସୀମା ବଢ଼ି ବଢ଼ି ଚାଲିଥିବା ବେଳେ ବାହାଘରକୁ ନେଇ ଉଭୟ ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି ।

ଏଭଳି ପରିସ୍ଥିତିରେ ଡାକ୍ତର ବେହେରା ବିଚଳିତ ନହୋଇ ଜାତୀୟ ବିପତ୍ତି ସମୟରେ ତାଙ୍କର ବାହାଘର ଅପେକ୍ଷା ରୋଗୀଙ୍କ ସେବା ପ୍ରଥମ ବୋଲି କହିଛନ୍ତି। ଅନ୍ୟପଟେ ଡାକ୍ତର ବେହେରାଙ୍କ ବଡ଼ଭାଇ ଚେନ୍ନାଇରେ ରହୁଥିବା ବେଳେ ଘରେ ବୁଢ଼ା ବାପା ଓ ମା’ ଏକୁଟିଆ ଅଛନ୍ତି। ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା ବେଳେ ସେ ତାଙ୍କୁ ଦେଖିବା ପାଇଁ ବି ଯାଇପାରୁନଥିବା କହିଛନ୍ତି। ତେବେ ତାଙ୍କର ଏଭଳି ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି।