ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବ ମୁଖର ସାରା ଦେଶ ! ଦୀପ, ବାଣ ସହ ପୂଜାର୍ଚ୍ଚନା ପାଇଁ ଘରେ ଘରେ ପ୍ରସ୍ତୁତ

272

କନକ ବ୍ୟୁରୋ : ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ଉତ୍ସବ ମୁଖର ସାରା ଦେଶ । ଦୀପ, ବାଣ ସହ ପୂଜାଚ୍ଚର୍ନା ପାଇଁ ଘରେ ଘରେ ଜୋରଦାର ହୋଇଛି ପ୍ରସ୍ତୁତି । ଗତକାଲିଠାରୁ କିଛି ସ୍ଥାନରେ ଦୀପାବଳି ପର୍ବ ପାଳନ ଆରମ୍ଭ ହୋଇଯାଇଛି । ସନ୍ଧ୍ୟାରେ ବାଣ ଫୁଟାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବନବାସ ସାରି ପ୍ରଭୁ ଶ୍ରୀରାମ ଆଜି ଦିନରେ ଅଯୋଧ୍ୟକୁ ଫେରିଥିଲେ । ସେହି ସ୍ମୃତିକୁ ମନେ ପାଇବା ପାଇଁ ଆଜି ସାରାଦେଶରେ ପାଳିତ ହେଉଛି ଦୀପାବଳି ପର୍ବ । ଉତ୍ସାହ ଓ ଉଦ୍ଦିପନା ଭିତରେ ଦୀପାବଳି ପାଳନ ପାଇଁ ସମସ୍ତଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି । ଦୀପାବଳିରେ କାଳିପୂଜା ବି ହେବ । ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହୋଇଛି ।
ତେବେ ଆଜି ଦୀପାବଳିରେ ବର୍ଷା ସାଜିପାରେ ବାଧକ । ବର୍ଷାରେ ଧୋଇ ଯାଇପାରେ ଦୀପାବଳି ଓ କାଳିପୂଜା । ପାଣିପାଗ ବିଭାଗର ପୂର୍ବାନୁମାନ ଏପରି ସମ୍ଭାବନା ସୃଷ୍ଟି କରିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଧୀରେ ଧୀରେ ଘନୀଭୂତ ହେଉଛି ଲଘୁଚାପ । ବାତ୍ୟାର ଆଶଙ୍କା ଟଳି ଯାଇଥିଲେ ବି ଆଜି ଏବଂ ଆସନ୍ତାକାଲି ବର୍ଷା ହେବା ସମ୍ଭାବନା ରହିଛି । ଉପକୂଳ ଜିଲ୍ଲା ଓ ଦକ୍ଷିଣ ଓଡିଶାରେ ଗତକାଲି ଅପରାହ୍ନରୁ ଆରମ୍ଭ ହୋଇଯାଇଛି ବର୍ଷା । ୨୧ ତାରିଖରୁ ବର୍ଷା କମିବ । ତେବେ ୨୩ ତାରିଖ ପୂର୍ବରୁ ବର୍ଷା ଛାଡିବାର ସମ୍ଭାବନା ନାହିଁ । ପବନର ବେଗ ବି ଘଂଟା ପ୍ରତି ୬୫ କିଲୋମିଟର ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅର୍ଥାତ ବର୍ଷା ଦୀପାବଳୀ ଓ କାଳିପୂଜାକୁ ବିଗାଡିବା ଆଶଙ୍କା ରହିଛି ।

ତେବେ ୟୁପିରେ ଯୋଗୀ ପାଳିଛନ୍ତି ଦୀପାବଳି । ୧୪ ବର୍ଷ ବନବାସ କଲାପରେ ରାବଣ ବଧ ପରେ ଯେଉଁଦିନ ଶ୍ରୀରାମ ଫେରିଲେ ସେଦିନ ଅଯୋଧ୍ୟାବାସୀ ଦୀପ ଜାଳି ସ୍ୱାଗତ କରିଥିଲେ ରାମଙ୍କୁ । ସେହି ପୌରାଣିକ କଥାବସ୍ତୁୁକୁ ବିଶ୍ୱାସକୁ ଆଧାର କରି ଆଜି ପୁଣିଥରେ ସଜେଇ ହୋଇଛି ଅଯୋଧ୍ୟା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଅଯୋଧ୍ୟାରେ ଧୂମଧାମରେ ପାଳିତ ହୋଇଛି ଦୀପାବଳି । କେଉଁଠି ଲକ୍ଷ ଲକ୍ଷ ଦୀପ ଜଳା ଯାଇଛି ତ ପୁଣି କେଉଁଠି କଳାକାର ଶୁଣାଇଛନ୍ତି ରାମକଥା । ସରଯୂ ନଦୀ କୁଳରେ ଏଥିପାଇଁ ୫ ହଜାର ୧ ଶହ ଦୀପର ମହାଆଳତୀ କରାଯାଇଛି ।

ସମୁଦାୟ ୧ ଲକ୍ଷ ୭୧ ହଜାର ଦୀପ ଜଳାଯାଇଛି ଅଯୋଧ୍ୟାରେ । ରାବଣବଧ ପରେ ପୁଷ୍ପକ ବିମାନରେ ଶ୍ରୀରାମ ଅଯୋଧ୍ୟା ଫେରିବା ପରି ଏଥରକ ରାମ ବେଶରେ ଥିବା କଳାକାରଙ୍କୁ ହେଲିକପ୍ଟର ଜରିଆରେ ଅଣାଯାଇଛି । ସେପଟେ ଦୀପ ଜାଳିବାରେ ୧୨ ହଜାର ଲିଟର୍ ତେଲ ବ୍ୟୟ ହୋଇଥିବା ଜଣାପଡ଼ିଛି । ଏହା ସହ ଲେଜର ମାଧ୍ୟମରେ ରାମକଥା ମଧ୍ୟ ପ୍ରଦର୍ଶୀତ ହୋଇଛି । ଏହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ସେପଟେ ରାଜ୍ୟପାଳ ରାମ ନାଏକଙ୍କ ସମେତ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଏଥିରେ ଯୋଗ ଦେଇଛନ୍ତି ।