ଭାଙ୍ଗିଲା କାଶ୍ମୀର ବିଧାନସଭା : ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ସୁପାରିଶ

ମେଂଟ ସରକାର ପାଇଁ ପିଡିପି, ଏନସି, କଂଗ୍ରେସ ପ୍ରସ୍ତୁତ ଥିଲେ

106

କନକ ବ୍ୟୁରୋ : ଭାଙ୍ଗିଲା କାଶ୍ମୀର ବିଧାନସଭା । ଜମ୍ମୁ-କାଶ୍ମୀରରେ ସରକାର ଗଠନ କରିବାକୁ ବିଭିନ୍ନ ଦଳ ଉଦ୍ୟମ ଆରମ୍ଭ କରିଥିବା ବେଳେ ରାଜ୍ୟପାଳ ବିଧାନସଭାକୁ ଭାଙ୍ଗି ଦେଇଛନ୍ତି । ଡିସେମ୍ବର ୧୯ରେ ରାଜ୍ୟପାଳ ଶାସନର ଅବଧି ସରୁଥିବାରୁ ଏହା ପୂର୍ବରୁ ରାଜ୍ୟରେ ମେଂଟ ସରକାର ଗଠନ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିଲା । ଦୁଇଟି ମେଂଟର ନେତାମାନେ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ସମୟ ମାଗିଥିଲେ । କିନ୍ତୁ ଆଲୋଚନା ପୂର୍ବରୁ ହିଁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଧାନସଭାକୁ ଭଙ୍ଗ କରିଛନ୍ତି । ଗତ ଜୁନ ମାସରେ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା ।

ଆସନ୍ତା ଡିସେମ୍ବରରେ ଏହାର ଅବଧି ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ସରକାର ଗଠନ ପାଇଁ ପିଡିପି, କଂଗ୍ରେସ ଏବଂ ନେସନାଲ କନଫରେନ୍ସ ହାତ ମିଳାଇଥିଲେ । ସରକାର ଗଠନ ନେଇ ପିଡିପି ଦାବି କରିବ ବୋଲି ଦଳ ମୁଖ୍ୟ ମେହବୁବା ମୁଫତି ସୂଚନା ଦେଇଥିଲେ । ତେବେ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଫ୍ୟାକ୍ସ କରାଯାଇଥିବା ବେଳେ ତାହା ପହଂଚି ପାରି ନଥିଲା । ଅନ୍ୟପଟେ ପରସ୍ପର ବିରୋଧୀ ଚିନ୍ତାଧାରାର ଦଳ ଏକାଠି କେମିତି ସରକାର ଗଠନ କରିବା ସମ୍ଭବ ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିବା କୁହାଯାଉଛି ।