ନିଅଣ୍ଟିଆ ବର୍ଷା ଯୋଗୁଁ ରୁଆ ବେଉଷଣ ପାଇଁ ସମୟ ଗଡ଼ୁଛି : ରାଜ୍ୟରେ ମରୁଡ଼ି ଥୟ, ଶୂନ୍ୟକାଳରେ ଉଦବେଗ ପ୍ରକାଶ କଲେ ବିରୋଧୀ

174

କନକ ବ୍ୟୁରୋ : ରାଜ୍ୟରେ ନିଅଣ୍ଟିଆ ବର୍ଷା । ଚିନ୍ତାରେ ଚାଷୀ । ମରୁଡ଼ି ହେବା ଏକପ୍ରକାର ଥୟ । ଶ୍ରାବଣ ମାସରେ ମାଟି ଶୁଖି ଆଁ କଲାଣି । ପ୍ରାୟ ୧୫ଟି ଜିଲ୍ଲାରେ ଠିକରେ ବର୍ଷା ହୋଇନି । ସ୍ୱଳ୍ପ ବୃଷ୍ଟି ପ୍ରସଙ୍ଗକୁ ନେଇ ଆଜି ହୁଲସ୍ତୁଲ ହୋଇଛି ଗୃହ । ଆସନ୍ନ ମରୁଡ଼ି ସମ୍ଭାବନା ଅଶାଙ୍କା କରି ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । କେଉଁଠି ଅସରାଏ ବର୍ଷା ହେଉଛି ତ କେଉଁଠି ଟାଇଁ ଟାଇଁ ଖରା । ଯେତିକି ବର୍ଷିବା କଥା ତାହା ହେଉ ନାହିଁ। ବର୍ଷାର ଅଭାବ ଯୋଗୁଁ ନଦୀ ନାଳର ଜଳ ଉତ୍ସ ଗୁଡିକରେ ପାଣି ନାହିଁ । ଯେଉଁ ସବୁ କ୍ଷେତରେ ଧାନ ବୁଣାଯାଇଥିଲା, ସେଥିମଧ୍ୟରୁ ଅନେକ ସ୍ଥାନରେ ଗଜାମରୁଡ଼ି ସ୍ଥିତି ଦେଖାଗଲାଣି  । ଆଉ ଯେଉଁ କ୍ଷେତ୍ରରେ ଧାନ ଗଛ ଉଠିଥିଲା, ସେସବୁ ପାଣି ଅଭାବରୁ ହଳଦିଆ ପଡ଼ିଗଲାଣି ।

ପୁଣି ଗୃହରେ ଉଠିଲା ମରୁଡ଼ି ପ୍ରସଙ୍ଗ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମରୁଡ଼ି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଠିକରେ ବର୍ଷା ନହେବା ଯୋଗୁଁ ଚଳିତ ବର୍ଷ ଭଲ ଅମଳ ମଧ୍ୟ ହେବନାହିଁ । ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଧାନରୁଆ କାମ ସରିଯାଏ । ହେଲେ ଚଳିତ ବର୍ଷ କିନ୍ତୁ ଏଯାଏଁ ରୁଆ କାମ ଆରମ୍ଭ ହୋଇନି । ରୁଆ ବେଉଷଣ ସମୟ ଗଡ଼ି ଗଡ଼ି ଯାଉଛି। ଆକାଶକୁ ଚାହିଁ ଚାହିଁ ଚଷା ପୁଅ ଆଖିରୁ ପାଣି ମରିଗଲାଣି । କଣ କରିବେ କେମିତି ଚାଷ ଆରମ୍ଭ ହେବ ସେଇ କଥାକୁ ନେଇ ଚାଷୀଙ୍କ ଭିତରେ ଭାଳେଣି ପଡ଼ିଛି । ରାଜସ୍ୱ ମନ୍ତ୍ରୀ ଏ ବାବଦରେ ପୁନର୍ବାର ଅନୁଧ୍ୟାନ କରିବା ଉଚିତ । ବର୍ଷାର ପରିମାଣ ଆକଳନ ପରି ଗୃହରେ ସଠିକ ରିପୋର୍ଟ ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ।

drought like situation

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଗୃହରେ ଏପ୍ରସଙ୍ଗ ଉଠାଇଛନ୍ତି । ବାରମ୍ବାର ପ୍ରଶ୍ନ କଲେ ମଧ୍ୟ ଏହାର ଉତ୍ତର ମିଳୁନି । ଆଉ ସମୟ ନାହିଁ । ଏବେ କିଛି ସ୍ଥାନରେ ବର୍ଷା ହେଲେ ମଧ୍ୟ ବେଉଷଣ ହେବାର ସମ୍ଭାବନା ନାହିଁ । ଜଳସେଚନକୁ ନେଇ ସରକାର ଦେଇଥିବା ଷ୍ଟାଟିଷ୍ଟିକ୍ସ ଭୁଲ୍ । ଡିପ୍ ବୋରୱେଲ କାମ କରୁନି । ଚାଷୀଙ୍କୁ ଏଯାଏଁ ବୀମା ଟଙ୍କା ମିଳିପାରିନାହିଁ । ସଂସଦରେ ଖୋଦ୍ ବିଜେଡ଼ି ସଭ୍ୟ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଥିଲେ । ହେଲେ ରାଜ୍ୟ ସରକାର ଏକଥା ମାନିବାକୁ ନାରାଜ ।

drought

ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଉ ବୋଲି ପ୍ରତିଦିନ ଗୃହରେ ବିରୋଧୀ ହଙ୍ଗାମା କରୁଛନ୍ତି । ମରୁଡ଼ି ପ୍ରସଙ୍ଗ ଏବେ ରାଜ୍ୟ ପାଇଁ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି । ବିରୋଧୀଙ୍କ ହଙ୍ଗାମା ଭିତରେ ସ୍ୱଳ୍ପବୃଷ୍ଟି ଜନିତ ପରିସ୍ଥିତି ଉପରେ ଆସନ୍ତାକାଲି ବିବୃତ୍ତି ରଖିବାକୁ ରାଜସ୍ୱ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।