ରାଜ୍ୟର ସମସ୍ତ ସରକାରୀ ଅଫିସରେ କାର୍ଯ୍ୟକାରୀ ହେବ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା : ପ୍ରସ୍ତାବକୁ ମଞ୍ଜୁରି ଦେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା

29

କନକ ବ୍ୟୁରୋ : ବର୍ତ୍ତମାନ ଚାଲିଛି ଡିଜିଟାଲ ପେମେଣ୍ଟ ଯୁଗ । ବଡ଼ ବଡ଼ ସପିଂ ମଲ ଠାରୁ ଆରମ୍ଭ କରି ଛୋଟ ମୋଟ ଦୋକାନ ଗୁଡ଼ିକରେ ମଧ୍ୟ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ନେଣଦେଣ ହେଉଛି । ଏବେ ଭାରତରେ ଡ଼ିଜିଟାଲ ଟ୍ରାନଜାକ୍ସନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସରକାର ମଧ୍ୟ ଡିଜିଟାଲ ନେଣଦେଣ ଉପରେ ଅଧିକ ଜୋର ଦେଉଛନ୍ତି । ଦେଶରେ ସ୍ୱଚ୍ଛତା ଆଣିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକଙ୍କୁ ଏନେଇ ଉତ୍ସାହିତ କରୁଛନ୍ତି । ଭାରତରେ ଧୀରେ ଧୀରେ ଡିଜିଟାଲ ଟ୍ରାନଜାକ୍ସନ ବଢ଼ୁଛି ।

digital payment
image courtesy -http://im.rediff.com

ଏଣିକି ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।  ଏନେଇ ଅର୍ଥ ବିଭାଗ ଏକ ମାର୍ଗଦର୍ଶିକା ପ୍ରକାଶ କରିଛି । ଏଭଳି ଏକ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମଞ୍ଜୁରି ଦେଇଛନ୍ତି । ଏ ନେଇ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ତୁହିନାକାନ୍ତ ପାଣ୍ଡେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଏଜେନ୍ସି ବ୍ୟାଙ୍କଗୁଡିକୁ ପତ୍ର ଲେଖିଛନ୍ତି। ଏଣିକି ସରକାରୀ କାର୍ୟ୍ୟାଳୟରେ ଜନସାଧାରଣ ଓ ହିତାଧିକାରୀମାନେ ଡେବିଟ୍ କାର୍ଡ, ଭୀମ୍ ଆପ୍, ଆଧାର ସଂଯୁକ୍ତ ଦେୟ ବ୍ୟବସ୍ଥା ମାଧ୍ୟମରେ ସରକାରୀ ଅର୍ଥ ପୈଠ କରିପାରିବେ । ଏଥିପାଇଁ ବିଭାଗଗୁଡ଼ିକ ୨ଟି ଭିନ୍ନ ଭିନ୍ନ ବ୍ୟାଙ୍କର ପଏଣ୍ଟ ଅଫ୍ ସେଲ୍(ପସ୍) ମେସିନ ବ୍ୟବହାର କରିପାରିବେ । ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅର୍ଥ ବିଭାଗ ଏଭଳି ନଗଦବିହୀନ ବ୍ୟବସ୍ଥା ପାଇଁ ନିର୍ଦେଶନାମା ଜାରି କରିଛି ।