ପିକନିକ୍ କରିବା ପାଇଁ ଯାଉଥିବାବେଳେ ଦିଗପହଣ୍ଡି ନିକଟରେ ଓଲଟି ପଡ଼ିଲା ବସ୍, ଦୁର୍ଘଟଣାରେ ୨୦ରୁ ଅଧିକ ଆହତ

31

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗୋକର୍ଣ୍ଣପୁର ନିକଟରେ ଆଜି ଭୋରରୁ ବସ ଓଲଟି ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସମସ୍ତ ଯାତ୍ରୀ ଭୁବନେଶ୍ୱର ସାଲିଆ ସାହିର ବୋଲି ଜଣାଯାଇଛି । ସମସ୍ତେ ପିକନିକ କରିବାକୁ ଯାଉଥିଲେ । ଗୋକର୍ଣ୍ଣପୁର ବ୍ରିଜ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟିଯାଇଥିଲା । ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ସାଲିଆ ସାହିରୁ କେତେକ ଯାତ୍ରୀ ଓଆର୦୨ ଏଜେ ୨୫୮୩ ନମ୍ବର ବିଶିଷ୍ଟ ‘ ହରକାଳୀ’ ନାମକ ଏକ ଘରୋଇ ବସ ନେଇ ଆଜି ରାତି ୧ଟାରେ ବଡ଼ଡ଼ୁମ୍ବୁଳାସ୍ଥିତ ମା ବାଙ୍କେଶ୍ୱରୀ ପୀଠକୁ ଦର୍ଶନ କରିବାକୁ ଯାଉଥିଲେ । ତେବେ ରାତି ୪ଟା ବେଳେ ବସଟି ଗୋକର୍ଣ୍ଣିପୁର ଠାରେ ଓଲଟି ପଡ଼ିଥିଲା । ଏଥିରେ ପୂର୍ଣ୍ଣବାସୀ ପାତ୍ର, ବୁଢ଼ୀ ମହାରଣା, ଭଗବତୀ ସ୍ୱାଇଁ, ଲକ୍ଷ୍ମୀ ପ୍ରଧାନ, କାଶୀ ପାତ୍ର, ଜୟ ପାତ୍ର, ହାରସ ପାତ୍ର, ପ୍ରମୋଦିନୀ ମହାରଣା, କସ୍ତୁରୀ ପାତ୍ର ଓ ସଞ୍ଜୁ ପାତ୍ର ଆହତ ହୋଇଛନ୍ତି । ଆହତମାନଙ୍କର ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।