ସର୍ବକାଳୀନ ରେକର୍ଡ ଭାଙ୍ଗିଲା ଡିଜେଲ ଦର ! ଲିଟର ପିଛା ମୂଲ୍ୟ ୬୯ ଟଙ୍କା ୪୦ ପଇସା

42

କନକ ବ୍ୟୁରୋ : ରେକର୍ଡ ଭାଙ୍ଗିଲା ଡିଜେଲ ଦର । ସେହିପରି ୪ବର୍ଷର ସର୍ବାଧିକ ସ୍ତରରେ ପେଟ୍ରୋଲ ଲିଟର ପିଛା ଦର । ପେଟ୍ରୋଲ ଲିଟର ପିଛା ଦର ୭୨ ଟଙ୍କା ୭୦ ପଇସା ହୋଇଥିବାବେଳେ ଡିଜେଲ ଲିଟର ୬୯ଟଙ୍କା ୪୦ ପଇସା ଛୁଇଁଛି । ଅନ୍ତର୍ଜାତୀୟ ବଜାରରେ ତେଲଦରକୁ ଦେଖି ଭାରତୀୟ ତୈଳ କମ୍ପାନିଗୁଡିକ ତେଲଦର ଧାର୍ଯ୍ୟ କରୁଥିବାରୁ ରବିବାର ପେଟ୍ରୋଲ ଓ ଡିଜେଲ ଦର ଏଭଳି ରେକର୍ଡ ମୂଲ୍ୟରେ ପହଂଚିଛି । ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଆମଦାନୀ ଶୁଳ୍କ କମ କରିବାକୁ ଦାବି ହେଉଥୁଲେ ମଧ୍ୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗତ ଫେବ୍ରୁଆରୀ ରେ ବଜେଟ ଉପସ୍ଥାପନ ବେଳେ ଏହାକୁ ଧ୍ୟାନ ଦେଇନଥିଲେ । ଫଳରେ ଏବେ ଗୋଟିଏ ଲିଟର ପେଟ୍ରୋଲ ପିଛା ଆମଦାନୀ ଶୁଳ୍କ ୧୧ଟଙ୍କା ୭୭ ପଇସା ଓ ଡିଜେଲ ଲିଟର ପିଛା ୧୩ଟଙ୍କା ୪୭ ପଇସା ଦେଉଛନ୍ତି ତୈଳ କମ୍ପାନି । ଯେଉଁଥିପାଇଁ ପେଟ୍ରୋଲ ଓ ଡିଜେଲ ମୁଲ୍ୟ ବୃଦ୍ଧି କରିଛନ୍ତି ।

diesel-petrol_2953700f

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଏବେ ଉଭୟ ଗ୍ରାହକ ଓ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦିଲ୍ଲୀରେ ପେଟ୍ରୋଲ ଦର ଗତ ପ୍ରାୟ ୪ ବର୍ଷ ମଧ୍ୟରେ ଉଚ୍ଚସ୍ତରରେ ପହଞ୍ଚିଥିଲେ ମଧ୍ୟ ପୂର୍ବ ରେକର୍ଡକୁ ଏପର୍ଯ୍ୟନ୍ତ ଭାଙ୍ଗିନାହିଁ ।  କାରଣ ୨୦୧୪ ମସିହା ସେପ୍ଟେମ୍ବରରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୬ ଟଙ୍କା ୦୬ ପଇସା ଛୁଇଁଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ଘଟୁଛି । ଏହାର ପ୍ରଭାବରୁ ଗ୍ରାହକଙ୍କୁ ରିହାତି ଦେବା ଲାଗି ଚଳିତବର୍ଷ ପ୍ରାରମ୍ଭ ବେଳକୁ ତୈଳ ମନ୍ତ୍ରାଳୟ ପକ୍ଷରୁ ଉତ୍ପାଦନ ଶୁଳ୍କ ହ୍ରାସ ଦାବି କରାଯାଇଥିଲା । କିନ୍ତୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଗତ ଫେବ୍ରୁଆରି ୧ ତାରିଖରେ ଉପସ୍ଥାପନ କରିଥିବା ବଜେଟ୍‌ରେ ଏ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି ।

କିନ୍ତୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ୧୬ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ ଉପରେ ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର କମ ରହିଥିବା ସମୟରେ ଅଧିକ ରାଜସ୍ୱ ଆଦାୟ କରିବା ପାଇଁ ଜେଟ୍‌ଲି ଏହି ପଦକ୍ଷେପ ନେଇଥିଲେ।  କିନ୍ତୁ ଗତବର୍ଷ ଅକ୍ଟୋବରରେ ମାତ୍ର ଥରେ ଉତ୍ପାଦନ ଶୁଳ୍କ (ଲିଟର ପିଛା ୨ ଟଙ୍କା) ହ୍ରାସ କରିଛନ୍ତି । ତେବେ କେନ୍ଦ୍ର ସରକାର ଏହି ଉତ୍ପାଦନ ଶୁଳ୍କ ହ୍ରାସ ଘୋଷଣା କରିବାବେଳେ ରାଜ୍ୟ ଗୁଡ଼ିକୁ ମଧ୍ୟ ଅନୁରୂପ ଭାବେ ଭାଟ୍‌ (ମୂଲ୍ୟଯୁକ୍ତ ଟିକସ) କମାଇବାକୁ କହିଥିଲା । କିନ୍ତୁ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶ ବ୍ୟତୀତ ଅନ୍ୟ କୌଣସି ବିଜେପି ଶାସିତ ରାଜ୍ୟ ମଧ୍ୟ ଭାଟ୍‌ କମାଇ ନଥିଲେ ।

ଦିଲ୍ଲୀ ତୁଳନାରେ ଓଡ଼ିଶାରେ ଡିଜେଲ ଦର ବହୁ ଅଧିକ ରହିଛି । ଲିଟର ପିଛା ଡିଜେଲ ଦର ଦିଲ୍ଲୀରେ ୬୪ ଟଙ୍କା ୫୮ ପଇସାରେ ପହଞ୍ଚି ରେକର୍ଡ କରିଥିବାବେଳେ ଓଡ଼ିଶାରେ ଡିଜେଲର ଦର ଯଥେଷ୍ଟ ଅଧିକ ରହିଛି । ଗତକାଲି ଭୁବନେଶ୍ୱରରେ ଡିଜେଲ ଦର ଲିଟର ପିଛା ୬୯ ଟଙ୍କା ୨୮ ପଇସା ରହିଛି । ତେଣୁ ଗତକାଲିର ମୂଲ୍ୟକୁ ଦେଖିଲେ ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ଡିଜେଲ ମୂଲ୍ୟ ପାଖାପାଖି ୫ ଟଙ୍କା (୪ ଟଙ୍କା ୭୦ ପଇସା) ଅଧିକ ରହିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଦିଲ୍ଲୀ ତୁଳନାରେ କିଛିଟା କମ୍‌ ରହିଛି । ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଆଜି ୭୩ ଟଙ୍କା ୭୩ ପଇସା ରହିଥିବାବେଳେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୨ ଟଙ୍କା ୫୭ ପଇସା ରହିଛି । ଅର୍ଥାତ୍‌ ଦିଲ୍ଲୀ ତୁଳନାରେ ଓଡ଼ିଶାରେ ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୧୬ ପଇସା କମ୍‌ ରହିଛି ।