ସତରେ ଜୀବନ ଜିଇଁବା ଭାରି କଷ୍ଟ . . . ପାଇଖାନାରେ ବିତୁଛି ଜୀବନ । ଘର ନାହିଁ ପରିବାରରେ କେହି ନାହାନ୍ତି । ପରିଣତ ବୟସରେ ବି ସଂଘର୍ଷ କରୁଛନ୍ତି ଜଗବନ୍ଧୁ . . .

425

କନକ ବ୍ୟୁରୋ : ପରିଣତ ବୟସରେ ଜୀବନ ବିତୁଛି ପାଇଖାନାରେ । ଜୀବନ ପାଲଟି ଯାଇଛି ଅଭିଶାପ । ଘର ବୋଲି ଯାହା ଥିଲା ତାହା ବି ଭାଙ୍ଗି ରୁଜି ଯାଇଛି । ଏପରି ଅବସ୍ଥାରେ ଏବେ ମୁଣ୍ଡ ଗୁଂଜିଛନ୍ତି ପାଇଖାନାରେ । ଏପରି ଦୁସ୍ଥ ଜୀବନ କାଟୁଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଡା ଗାଁ ର ବୃଦ୍ଧ ଜଗବନ୍ଧୁ ଦାସ । ବୟସ ୬୦ ଟପିଲାଣି । ପରିବାରରେ କେହି ନାହାନ୍ତି । ପ୍ରତ୍ୟକ ଦିନ ଖାଦ୍ୟ ବସ୍ତ୍ର ଓ ବାସଗୃହ ପାଇଁ ପରିଣତ ବୟସରେ ବି ସଂଘର୍ଷ କରୁଛନ୍ତି ଜଗବନ୍ଧୁ । ନୂଆଁଳିଆ ବଖରାଏ ଚାଳଛପର ଘର ଥିଲା । ଆଗରୁ ମିଳିଥିଲା ସ୍ୱଛଭାରତ ମିଶନରେ ପାଇଖାନା ଟିଏ ।

ଚାଳଛପର ଘରଟି ଉଡାଇ ନେବା ପରେ ଏବେ ଏହି ପକ୍କା ପାଇଖାନା ଘରେ ରହୁଛନ୍ତି ଜଗବନ୍ଧୁ । ସରକାରଙ୍କ ଠାରୁ ମାସକୁ ମିଳୁଛି ୫ କେଜି ଚାଉଳ ଓ ବାର୍ଧକ୍ୟ ଭତ୍ତା । ଏତିକିରେ ମାସକ ଚଳିବା ବି କଷ୍ଟକର । ସାହିପଡିଶା ଯାହା ଟିକେ ଦେଲେ ଭୋକ ମେଂଟେ । ନହେଲେ ସେମିତି ଭାଗ୍ୟକୁ ଆଦରି ସେ ରହିଯାଇଥାନ୍ତି । ବଳଥିଲା ବେଳେ ଖଟୁଥିଲେ । ହେଲେ ଏବେ କିନ୍ତୁ କିଛି କରିପାରୁନାହାନ୍ତି । ସବୁଠାରୁ ଚିନ୍ତାଜନକ କଥା ଜଗବନ୍ଧୁଙ୍କ କଥା ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ଯାଏଁ ଜାଣିଥିଲେ ବି ସମସ୍ତେ ଚୁପ୍ । ଏପରି ସ୍ଥିତିରେ ନିରାଶ୍ରୟ ଜଗବନ୍ଧୁଙ୍କ ପ୍ରତି ସରକାରଙ୍କ ଶୁଭ ଦୃଷ୍ଟି ପଡିଲେ ତାଙ୍କ ସମସ୍ୟା କିଛିଟା ଦୂର ହୋଇପାରନ୍ତା ।