ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ

264

କନକ ବ୍ୟୁରୋ : ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ । ପଶ୍ଚିମ ଓଡ଼ିଶାର ଯାତ୍ରୀଙ୍କ ଦୀର୍ଘ ଦିନର ଦାବି ପୂରଣ ପାଇଁ ବେସାମରିକ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି  ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପ୍ରତିଷ୍ଠା ହେବା ଯୋଗୁଁ ଓଡ଼ିଶାବାସୀ ଉପକୃତ ହୋଇଛନ୍ତି । ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା ପରି ସହରକୁ ଝାରସୁଗୁଡ଼ାରୁ ସିଧାସଳଖ ବିମାନ ଚଳାଚଳ ହେଉଥିଲେ ହେଁ ବାଣିଜ୍ୟିକ ରାଜଧାନୀ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହୋଇନି । ଝାରସୁଗୁଡ଼ାରୁ ମୁମ୍ବାଇକୁ ସିଧାସଳଖ ବିମାନ ଚଳାଚଳ ହେଲେ ପଶ୍ଚିମ ଓଡ଼ିଶାବାସୀ ଲାଭବାନ୍ ହୋଇପାରିବେ ।

କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଦେଶର ବାଜଣିଜ୍ୟିକ ରାଜଧାନୀ ମୁମ୍ବାଇ ସହ ପଶ୍ଚିମ ଓଡ଼ିଶା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ନାହିଁ । ସିଧାସଳଖ ବିମାନ ଚଳାଚଳ ନଥିବାରୁ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଆକାଶପଥରେ ଉଭୟ ସହର ମଧ୍ୟରେ ସିଧାସଳଖ ଯୋଗାଯୋଗ ହୋଇପାରିଲେ ଯାତ୍ରୀ ଉପକୃତ ହୋଇପାରିବେ । ତେଣୁ ପଶ୍ଚିମ ଓଡ଼ିଶା ଲୋକଙ୍କ ହିତ ଉଦ୍ଦେଶ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ।