ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚାର : ମୁଖ୍ୟମନ୍ତ୍ରୀଙ୍କୁ ଜବାବ୍ ମାଗିଲେ କେନ୍ଦ୍ରମନ୍ତ୍ରୀ, ହିଂଜିଳି ନଛାଡି କାହିଁକି ଛାଡିଲେ ବିଜେପୁର ?

432

କନକ ବ୍ୟୁରୋ : ବିଜେପୁରରେ ପ୍ରଚାର ମଙ୍ଗ ଧରି ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଶହରା ପରେ ବିଜେପୁରର ରାଜନୈତିକ ତାତି ବଢିବ ବୋଲି ଆକଳନ କରାଯାଉଥିବା ବେଳେ ଆଜି ପ୍ରଚାର ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରିବା ସହ ବିଜେପୁରର କଣ ଉନ୍ନତି କରିଛନ୍ତି ବୋଲି ଜବାବ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ବିଜେପୁରରେ ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ପ୍ରମିଳା କହିଛନ୍ତି, ଏଥର ବିଜେଡି ୩୫ ହଜାର ଭୋଟରେ ବିଜୟୀ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସିଧାସଳଖ ପ୍ରଶ୍ନ-କାହିଁକି ଛାଡ଼ିଲେ ବିଜେପୁର ଆସନ? କାହିଁକି ଲଦି ଦିଆଗଲା ଆଉ ଏକ ନିର୍ବାଚନ? ହିଞ୍ଜିଳି ନଛାଡ଼ି ବିଜେପୁର ଛାଡ଼ିଲେ କାହିଁକି? ଏଭଳି ତମାମ୍ ପ୍ରଶ୍ନ ସହ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତ ସାଧାରଣ ନିର୍ବାଚନରେ ନବୀନଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଥିବା ଏବଂ ଏଥର ବିଜେପି ପ୍ରାର୍ଥୀ ହୋଇଥିବା ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗାଇସିଲେଟର ଏକ ଜନସଭାକୁ ସମ୍ବୋଧନ କରି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ।

ପ୍ରଚାର ଲଢ଼େଇରେ ବିଜେପି ଜୋର ଲଗାଇ ଦେଇଥିବା ବେଳେ ଆସନ୍ତା ୧୭ ଏବଂ ୧୮ ତାରିଖରେ ଦୁଇ ଦିନ ଧରି ବିଜେପୁର ଯାଇ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିପାରନ୍ତି ମୁଖ୍ୟମନ୍ତ୍ରୀ । ଠିକ୍ ସାଧାରଣ ନିର୍ବାଚନ ଷ୍ଟାଇଲରେ ଏକ ସ୍ୱତନ୍ତ୍ର ବସ୍ରେ ଯାଇ ବିଜେପୁରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଆଉ ଏସବୁ ଭିତରେ ବିଜେଡି ଦାବି କରିଛି ବିପୁଳ ଭୋଟ୍ରେ ବିଜୟୀ ହେବେ ରୀତାସାହୁ ।

ବଡ଼ କଥା ହେଉଛି-ରୀତା ସାହୁ ବିଜେଡିରେ ଆସି ସାମିଲ ହେବା ପରେ କଂଗ୍ରେସ ଗଡ଼ ଥିବା ବିଜେପୁର, ବିଜେଡି ଖାତାକୁ ଚାଲିଯାଇଥିଲା । ୨୦୧୮ରେ ରୀତା ସାହୁ ଉପ-ନିର୍ବାଚନ ଜିତିଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଲକ୍ଷାଧିକ ଭୋଟ୍ ପାଇ ବିଜୟୀ ହୋଇଥିଲେ । ଏପଟେ ନବୀନଙ୍କ ବିରୋଧରେ ୫୦ ହଜାରରୁ ଅଧିକ ଭୋଟ୍ ପାଇ କଡ଼ା ଟକ୍କର ଦେଇଥିବା ସନତ ଗଡ଼ତିଆ ଏବଂ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ମଧ୍ୟରେ ଏଥର କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ଦେଖିବାର କଥା ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ କେବେ ବଡ଼ ଚେହେରାକୁ ପ୍ରଚାର ମୈଦାନକୁ ଓହ୍ଲାଉଛି ।