କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଲେ ଅଶୋଧିତ ତେଲଦରକୁ ଦେଖି ୧ ପଇସା କମିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ : ମହଙ୍ଗା ମାଡ ପାଇଁ ଅନ୍ତର୍ଜାତୀୟ କାରଣକୁ କଲେ ଦାୟୀ

32

କନକ ବ୍ୟୁରୋ : ଲଗାତାର ୧୬ ଦିନର ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲ ଦର ମାତ୍ର ଏକ ଏକ ପଇସା । ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ନେଇ ତୈଳ କମ୍ପାନି ଦେଇଥିବା ଭୁଲ ତଥ୍ୟକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ମାତ୍ର ୧ ପଇସା ଦର କମିବାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ବିଶ୍ୱ ବଜାରରେ ଯେଭଳି ଦର କମେ, ତୈଳ କମ୍ପାନି ସେହି ଅନୁପାତରେ ଦର କମାଇବାକୁ ବାଧ୍ୟ ହୁଅନ୍ତି । ମୂଲ୍ୟ ବୃଦ୍ଧି ମଧ୍ୟ ସେହି ଅନୁପାତରେ ହୁଏ । ତେବେ କାହିଁକି ଭାରତରେ ଚଢା ରହିଛି ତେଲଦର ସେ ବାବଦରେ ପୁଣଥରେ ଜାତୀୟ ଗଣମାଧ୍ୟମରେ ସଫେଇ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ବିଶ୍ୱର ତେଲ ଉତ୍ପାଦନକାରୀ କମ୍ପାନି ଉତ୍ପାଦନ କମାଇ ଦେଇଛନ୍ତି ।

ଏବେ ଅନ୍ତର୍ଜାତୀୟ ଚାପ କାରଣରୁ ତେଲ ଉତ୍ପାଦନ ବଢାଇବାକୁ ସଂକେତ ଦେଇଛନ୍ତି । ସାଉଦି ଆରବ, ଋଷିଆ ପରି ଦେଶ ତୈଳ ଉତ୍ପାଦନ ବଢାଇବାକୁ ସଂକେତ ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ ମୂଳକଥା ହେଉଛି ଓପେକ ପରି ଉତ୍ପାଦନକାରୀ ରାଷ୍ଟ୍ରଙ୍କୁ ଅଧିକ ମୂଲ୍ୟ ଦରକାର ଏବଂ ଭାରତ ପରି ବ୍ୟବହାରକାରୀ ରାଷ୍ଟ୍ରକୁ କମ ମୂଲ୍ୟରେ ତେଲ ଦରକାର । ସେହିପରି ଇରାକକୁ ଆର୍ଥିକ ଅନୁଦାନ, ଭେନେଜୁଏଲାରେ ରାଜନୈତିକ ଅସ୍ଥିରତା ଏବଂ ସିରିଆ ଉପରେ ଆକ୍ରମଣ ଫଳରେ ତୈଳ ଉତ୍ପାଦନକାରୀ ଦେଶ ଏବଂ ବଜାରରେ ଯେଉଁ ଅସ୍ଥିରତା ଆସିଛି ତାର ପ୍ରଭାବ ଅଶୋଧିତ ତେଲ ଦର ଉପରେ ପଡିଛି । ଏବଂ ଏହା ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ବୃଦ୍ଧି କରୁଛି ବୋଲି ସେ କହିଛନ୍ତି ।

ସେପଟେ ଦେଶରେ ତୈଳ ଦର ଚଢା ହୋଇଛି । ନେପାଳରେ ଭାରତଠାରୁ ପେଟ୍ରୋଲ ଓ ଡିଜେଲ ଦର ବହୁ କମ ରହିଛି । ଯେଉଁଥିପାଇଁ ବିହାରର ସୀମାନ୍ତବର୍ତୀ ଅଂଚଳରେ ନେପାଳରୁ ପେଟ୍ରୋଲ ଓ ଡିଜେଲ ଆସି ବଜାର ଦରରୁ ୪ରୁ ୫ ଟଙ୍କା କମରେ ବିକ୍ରି ହେଉଛି । ବିହାରର ମଧୁବଣୀ, ସୀତବଣୀ ଏବଂ ଆରାରିଆରେ ପେଟ୍ରୋଲ ଓ ଡିଜେଲର ଖୋଲାଖୋଲି ସ୍ମଗଲିଂ ହେଉଛି । ସୁରକ୍ଷା କୋହଳ ଥିବା ଭାରତ-ନେପାଳ ସୀମା ଦେଇ ସାଇକେଲ ଓ ମୋଟର ସାଇକେଲରେ ତେଲ ନେପାଳରୁ ଭାରତକୁ ଆସୁଛି ।