କୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! ବାସ୍ତବ ସ୍ଥିତି ପରଖିବା ସହ କୋଟିଆବାସୀଙ୍କ ସହ କରିବେ ଆଲୋଚନା

58

କନକ ବ୍ୟୁରୋ : କୋଟିଆ ଅଭିମୁଖେ ଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଟିଆବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବେ ଧର୍ମେନ୍ଦ୍ର । ଏହା ସହିତ ସେଠାକାର ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ । ତୃଣମୂଳ ସ୍ତରରେ ସରକାରୀ ଯୋଜନାର ବାସ୍ତବ ରୂପରେଖ ଦେଖିବେ । କୋରାପୁଟ ଜିଲ୍ଳା ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ପଂଚାୟତର ୨୧ଟି ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡିଶା ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି । ହେଲେ ଗତ ଜାନୁଆରୀ ମାସରେ ଆନ୍ଧ୍ରର ବହୁ ଅଧିକାରୀ ଓ ଜନ ପ୍ରତିନିଧି କୋଟିଆ ଅଂଚଳକୁ ଆସି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧିନରେ ସହାୟତା ବାଂଟିବା ପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା । କୋଟିଆ ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ । ତେବେ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ବିଜେଡି ସମାଲୋଚନା କରିଛି । କୋଟିଆ ଗସ୍ତ ପରେ କୁନ୍ଦୁଲି ପୀଡିତାଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ କୋଟିଆ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ତୁଟୁନି । ଗତ କିଛି ଦିନ ପୂର୍ବରୁ କୋଟିଆରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ର ଅଧିକାରୀ । ଲୋକଙ୍କୁ ବିଭିନ୍ନ ସହାୟତା ବାଂଟିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ଏକଥା ଓଡ଼ିଶା ସରକାରଙ୍କ ଅଗଚୋରରେ ହୋଇଥିଲା । ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି । ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ଉଦ୍ୟମ କରୁଛି । ତେବେ ଗତ ଜାନୁଆରିରେ ବଡ ଧରଣର ଅନୁପ୍ରବେଶ କରିଥିଲା ଆନ୍ଧ୍ର । ତେବେ କୋଟିଆର ସ୍ଥିତି ପରୀକ୍ଷା ପାଇଁ ଆଜି ଗସ୍ତରେ ଯାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।