ନବୀନଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ : କହିଲେ ବାତ୍ୟା ଫୋନିକୁ ସଠିକ ମୁକାବିଲା କଲା ଓଡିଶା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ମିଳିମିଶି କାମ କଲେ କେନ୍ଦ୍ର ଓ ରାଜ୍ୟ ସରକାର

1,148

କନକ ବ୍ୟୁରୋ : ନବୀନ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା । ବାତ୍ୟା ଫୋନିର ସଠିକ ମୁକାବିଲା ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ମିଳିମିଶି କାମ କରିଥିଲେ । ଯାହା ବାତ୍ୟା ବିପନ୍ନଙ୍କ ପାଖକୁ ଶୀଘ୍ର ସରକାରୀ ସହାୟତା ପହଂଚାଇ ପାଇଥିଲା । ଏକିଜିଟ୍ ପୋଲ ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରଶଂସା ବିଜେପି-ବିଜେଡି ମଧ୍ୟରେ ବଢୁଥିବା ନିକଟତା ଆଡକୁ ଇସାରା କରୁଛି ।

ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ବାତ୍ୟା ସୁପରିଚାଳନା ପାଇଁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।  ବାତ୍ୟା ସହାୟତାରେ କେନ୍ଦ୍ରର ଭୂମିକାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟ ସରକାରଙ୍କ ଅନୁରୋଧ ପରେ ରାଜ୍ୟକୁ କିରୋସିନ, ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଯୋଗାଇଥିଲା କେନ୍ଦ୍ର । ବାତ୍ୟା ସ୍ଥିତିର ମୁକାବିଲା ନେଇ ନବୀନଙ୍କୁ ମୋଦିଙ୍କ ପ୍ରଶଂସା ଏବଂ ବାତ୍ୟା ପରେ ସହଯୋଗ ନେଇ ମୋଦିଙ୍କୁ ନବୀନଙ୍କ ଧନ୍ୟବାଦ କୁ ଅନ୍ୟ ଆଖିଲେ ଦେଖିଥିଲା କଂଗ୍ରେସ । ନିର୍ବାଚନ ସରିଗଲା ତେଣୁ ବିଜେଡିର ଆଉ ସମଦୂରତ୍ୱ ରହିବ ନାହିଁ ବୋଲି କହିଥିଲା କଂଗ୍ରେସ । ଏକଥାକୁ ଖଣ୍ଡନ କରିବା ସହ ବାତ୍ୟାକୁ ନେଇ ରାଜନୀତି କରିବା ଠିକ ନୁହେଁ ବୋଲି କହିଥିଲା ବିଜେଡ଼ି ।