ଧର୍ମଗଡ଼ରେ ‘ଗଡ଼’ ଅକ୍ତିଆର କରିବ କିଏ ? ମୈଦାନରେ ଶିକ୍ଷକ ବନାମ ଓକିଲ ବନାମ ଯୁବରାଜ

160

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଚିତ୍ର ସ୍ପଷ୍ଟ ହୋଇଛି । ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ବାସ୍ତବ ରାଜନୀତି । ନେତା ଓ କର୍ମୀଙ୍କ ଧାଁ ଧପଡ଼ ଭିତରେ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା । ଧର୍ମଗଡ଼ ଧର୍ମଯୁଦ୍ଧରେ କିଏ ଗଡ଼ ଅକ୍ତିଆର କରିବ ତା’ଉପରେ ସମସ୍ତଙ୍କ ଆଖି । କାରଣ ଏଥର ଧର୍ମଗଡ଼ରେ ଦେଖିବାକୁ ମିଳିବ ଭିନ୍ନ ପ୍ରକାର ଲଢ଼େଇ । ଧର୍ମଗଡ଼ ମୈଦାନରେ ଶିକ୍ଷକ ବନାମ ଓକିଲ ବନାମ ଯୁବରାଜ ।

ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଏଥର ହାଇଭୋଲଟେଜ ଲଢେଇ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ବିଜେଡି ଜଣେ ଓବିସି ବର୍ଗର ଶିକ୍ଷକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ଜଣେ ଓକିଲଙ୍କୁ ପ୍ରାର୍ଥୀ କରାଯାଇଛି । କଳାହାଣ୍ଡି ରାଜପରିବାରର ଯୁବରାଜ ଅନନ୍ତ ପ୍ରତାପ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି । ଧର୍ମଗଡ଼ ବିଜୟ ପାଇଁ ମୈଦାନକୁ ଓହ୍ଲାଇବେ ବିଜେଡିର ମହଷୋଧି ବାଗ, କଂଗ୍ରେସର ଦିଗାମ୍ବର ଦୁରିଆ ଓ ବିଜେପିର ଅନନ୍ତ ପ୍ରତାପ ଦେଓ । ଏହାସହ ଏମାନଙ୍କ ସହ ମୁକାବିଲା କରିବେ ସ୍ୱାଧୀନ ପ୍ରାର୍ଥୀ ରବୀନ୍ଦ୍ର ପାଟଯୋଶୀ । ବିଜେଡ଼ି, ବିଜେପି ଓ କଂଗ୍ରେସ ଏଥର ନୂଆ ମୁହଁ ଉପରେ ଭରସା କରିଛନ୍ତି । ତିନି ଦଳ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ବଦଳାଇଛନ୍ତି ।

ସୂଚନାଯୋଗ୍ୟ ବିଜେଡ଼ି ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ କଳାହାଣ୍ଡି ଲୋକସଭା ପାଇଁ ଟିକେଟ୍ ଦେଇଛି । ୨୦୧୪ ନିର୍ବାଚନକୁ ଅନୁଧ୍ୟାନ କରାଯାଏ ତେବେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ୫୯ ହଜାର ୯୩୧ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରବୀନ୍ଦ୍ର ପଟ୍ଟଯୋଷୀ ୪୩ ହଜାର ୭୭୩ ଭୋଟ ପାଇଥିଲେ । ବିଧାୟକ ଭାବରେ ତୃତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ପୁଷ୍ପେନ୍ଦ୍ର । କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଲୋକପ୍ରିୟତା ଦେଖି ଲୋକସଭା ଟିକେଟ୍ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ଆଉ ସେଥିପାଇଁ ଏଥର ବିଧାନସଭା ପାଇଁ ପ୍ରାର୍ଥୀ ବଦଳାଇଛି ବିଜେଡ଼ି ।

ଗତ ନିର୍ବାଚନରେ ବିଜେପି ରବୀନ୍ଦ୍ର ପାଟ୍ଟଯୋଶୀଙ୍କୁ ଟିକେଟ ଦେଇଥିଲା । ହେଲେ ଏଥର ପ୍ରାର୍ଥୀ ବଦଳାଇ ଅନନ୍ତ ପ୍ରତାପ ଦେଓଙ୍କ ଉପରେ ଭରସା କରିଛି ଦଳ । ଅନ୍ୟପଟେ ରବୀନ୍ଦ୍ର ପାଟଯୋଶୀ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ୨୦୧୪ ନିର୍ବାଚନରେ ତୁଷାର ରଞ୍ଜନ ପାଟ୍ଟଯୋଶୀଙ୍କୁ ଟିକେଟ ଦେଇଥିଲା କଂଗ୍ରେସ । ଆଉ ଏଥର ଦିଗାମ୍ବର ଦୁରିଆଙ୍କ ଉପରେ ଭରସା କରିଛନ୍ତି କଂଗ୍ରେସ ହାଇକମାଣ୍ଡ ।

ଓଡିଶା ବିଧାନସଭାର ୭୯ ନମ୍ବର ଆସନ ହେଉଛି ଧର୍ମଗଡ । ୧୯୫୭ ମସିହାରେ ସୃଷ୍ଟି ହୋଇଥିବା ଏହି ଆସନରେ ବର୍ତମାନ ସୁଦ୍ଧା ୧୪ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି । ଗଣତନ୍ତ୍ର ପରିଷଦ ୨ ଥର, ସ୍ବତନ୍ତ୍ର ପାର୍ଟି ୩ଥର,କଂଗ୍ରେସ ୩ଥର, ଜନତା ଦଳ ୨ ଥର ଓ ବିଜେଡି ୪ ଥର ବାଜିମାତ କରିଛି । ବିଜେଡ଼ିର ଜନ୍ମ ପରଠାରୁ ଧର୍ମଗଡ଼ରେ ବିଜେଡ଼ି ରାଜ କରିଆସୁଛି । ୨୦୦୯ ଓ ୨୦୧୪ରେ ପୁଷ୍ପେନ୍ଦ୍ର ସିଂଦେଓ ନିର୍ବାଚନ ଜିତିଥିବା ବେଳେ ୨୦୦୦ ଓ ୨୦୦୪ ରେ ବୀର ସିପକା ବଜେଡ଼ି ତରଫରକୁ ଗଡ଼ ଅକ୍ତିଆର କରିଥିଲେ ।