କେନ୍ଦ୍ରାପଡ଼ାରେ ଜମିବ ଲଢ଼େଇ ! ଅନୁଭବ ଓ ବୈଜୟନ୍ତଙ୍କୁ କଡ଼ା ଟକ୍କର ଦେବାକୁ ଧରଣୀଧରଙ୍କୁ ମଇଦାନକୁ ଓହ୍ଲାଇଲା କଂଗ୍ରେସ

295

କନକ ବ୍ୟୁରୋ : ସବୁଠାରୁ ହଟ୍ ସିଟ୍ କେନ୍ଦ୍ରାପଡ଼ା ଆସନରେ ଏଥର ହେବ ମହାଲାେଇଇ । କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବରୁ ଶାସକ ଦଳ ବିଜେଡ଼ି ଓ ବିଜେପି ନିଜ ନିଜ ସୀପାହିଙ୍କୁ ମଇଦାନକୁ ଓହ୍ଲାଇ ସାରିଛନ୍ତି । ରାଜ୍ୟ ରାଜନୀତିର ଅଭିଜ୍ଞ ନେତା ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅଭିନତାରୁ ନେତା ବନିଥିବା ଅନୁଭବ ମହାନ୍ତିଙ୍କୁ ବାଛିଛନ୍ତି ବିଜେଡ଼ି ସୁପ୍ରିମୋ । ଏପଟେ ଆଜି କେନ୍ଦ୍ରାପଡ଼ା ରଣଭୂମି ପାଇଁ ଯୋଦ୍ଧା ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । ଧରଣୀଧର ନାୟକଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ଦଳ । ଏଥର ଭୋଟର କାହାକୁ ଦେବେ ଭୋଟ୍ ? କେନ୍ଦ୍ରାପଡ଼ା ବାସୀଙ୍କ ମନ ଜିଣିବାରେ କିଏ ସଫଳ ହେବ ? କାହାର ହେବ ଜିତାପଟ୍ ?

କେନ୍ଦ୍ରାପଡ଼ା ସମରରେ ଏଥର ମୁହାଁମୁହିଁ ହେବେ ବୈଜୟନ୍ତ ପଣ୍ଡା, ଅନୁଭବ ମହାନ୍ତି ଓ ଧରଣୀଧର ନାୟକ । ତିନି ପୋଖତ ନେତାଙ୍କ ମଧ୍ୟରେ ହେବ ଲଢ଼େଇ । ୧୯୯୮ରୁ କେନ୍ଦ୍ରାପଡ଼ାରେ ବିଜେଡ଼ି ନିଜର ଅସ୍ତିତ୍ୱ ଜାହିର କରିଆସିଛି । ୨୦୦୯ରୁ ବୈଜୟନ୍ତ ପଣ୍ଡା ଏହି ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି । ହେଲେ ଗତ କିଛି ମାସ ତଳେ ମନୋମାଳିନ୍ୟ ଯୋଗୁଁ ବୈଜୟନ୍ତ ପଣ୍ଡା ଦଳ ସହ ସମସ୍ତ ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଥିଲେ । ଆଉ ଚଳିତ ଥର ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଅନ୍ୟପଟେ ଅନୁଭବଙ୍କ ଲୋକପ୍ରିୟତା ବଳରେ ପୁଣି ଗଡ଼ ଅକ୍ତିଆର ଆଶାରେ ରହିଛି ଶାସକ ଦଳ ।

ବୈଜୟନ୍ତ ଓ ଅନୁଭବଙ୍କୁ କଡ଼ା ଟକ୍କର ଦେବା ପାଇଁ କଂଗ୍ରେସ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି । ୨୦୧୪ରେ ନିର୍ବାଚନ ହାରିଥିଲେ ମଧ୍ୟ ଧରଣୀଧରଙ୍କ ଉପରେ ପୁଣି ଥରେ ଆସ୍ଥା କରିଛି ଦଳ । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବୈତରଣୀ ପାର କରିବା ପାଇଁ ଧରଣୀଧରଙ୍କୁ ମଙ୍ଗ ଧରାଇଛନ୍ତି କଂଗ୍ରେସ ହାଇକମାଣ୍ଡ । ୨୦୧୪ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କ ଠାରୁ ପରାଜିତ ହୋଇଥିଲେ ଧରଣୀଧର । ବୈଜୟନ୍ତ ପଣ୍ଡାଙ୍କୁ ୬,୦୧,୫୭୪ ଭୋଟ ମିଳିଥିବା ବେଳେ ଧରଣୀଧରଙ୍କୁ ମିଳିଥିଲା ୩,୯୨,୪୬୬ ଭୋଟ । ତେବେ ଚଳିତ ନିର୍ବାଚନ ପାଇଁ ପୁଣି ଥରେ ଧରଣୀଧରଙ୍କୁ ସୁଯୋଗ ଦେଇଛି ଦଳ ।

ଅନ୍ୟପଟେ କେନ୍ଦ୍ରାପଡ଼ା ପାଇଁ ଓଡ଼ିଶାର ଲୋକପ୍ରିୟ ନେତା ଅନୁଭବଙ୍କୁ ଚାନ୍ସ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ଅନୁଭବଙ୍କ ଲୋକପ୍ରିୟତା ବଳରେ ପୁଣି ଥରେ କେନ୍ଦ୍ରାପଡ଼ା ଆସନ ହାତେଇବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି । କେନ୍ଦ୍ରାପଡ଼ା ବିଜେଡ଼ିର ଗଡ଼ ଭାବେ ପରିଚିତ । ଏଥର ମଧ୍ୟ କୌଣସି ମତେ କେନ୍ଦ୍ରାପଡ଼ା ଅକ୍ତିଆର କରିବାକୁ ଚେଷ୍ଟା କରୁଛି ଦଳ । ତେବେ ଅନୁଭବ ବିଜେଡ଼ି ସୁପ୍ରିମୋଙ୍କ ଆଖିରେ ନିଜକୁ ପ୍ରମାଣିତ କରିପାରୁଛନ୍ତି ନା ନାହିଁ ତାହା ସମୟ କହିବ ।

ସେପଟେ ବୈଜୟନ୍ତ ପଣ୍ଡାଙ୍କର ଏହି ଆସନ ଉପରେ ଦୁଇ ଦୁଇ ଥର ନିଜର କାଟତି ଜାହିର କରିସାରିଛନ୍ତି । ପୂର୍ବରୁ ବିଜେଡ଼ିରୁ ଲୋକସଭା ପାଇଁ ନିର୍ବାଚିତ ହୋଇଥିବା ବେଳେ ଏଥର କିନ୍ତୁ ବିଜେପିରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି ।