ହାତ ଖୋଲିଦେଲେ ଭକ୍ତ : ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ କଲେ ଦିଲ୍ଲୀ ଯୁବକ, ଦାନ ସୁନାର ମୂଲ୍ୟ ୧୪କୋଟି ଟଙ୍କା ହେବ ବୋଲି ଅନୁମାନ

444

କନକ ବ୍ୟୁରୋ : ଆସ୍ଥା ଓ ଶ୍ରଦ୍ଧାର ଏକ ଅଭୁତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ । ଏହି ମନ୍ଦିରରେ ଜଣେ ଭକ୍ତ ୩୫ କିଲୋର ସୁନା ଦାନ କରିଛନ୍ତି । ଏହି ସୁନାର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ, ଦିଲ୍ଲୀର ଜଣେ ଭକ୍ତ ପ୍ରାୟ ଏକ ସପ୍ତାହ ପୂର୍ବରୁ ମନ୍ଦିରକୁ ଏହି ସୁନା ଦାନ କରିଛନ୍ତି । ମୁମ୍ବାଇର ଅନ୍ୟତମ ଧନୀ ମନ୍ଦିର ହେଉଛି ସିଦ୍ଧିବିନାୟକ  ମନ୍ଦିର ।

ଦାନ କରାଯାଇଥିବା ଏହି ସୁନାକୁ ମନ୍ଦିରର କବାଟ ଓ ଅନ୍ୟ ସ୍ଥାନରେ ବ୍ୟବହାର କରାଯିବ । ଏଥିପାଇଁ ପ୍ରାୟ ୬ ମାସ ଲାଗିବ । ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଭକ୍ତମାନେ ପ୍ରତିବର୍ଷ କୋଟି କୋଟି ଟଙ୍କା ଦାନ କରିଥାନ୍ତି । କିନ୍ତୁ  ଭକ୍ତଙ୍କ ନାଁକୁ ସବୁବେଳେ ଗୋପନ ରଖାଯାଇଥାଏ । ସିଦ୍ଧବିନାମୟକ ମନ୍ଦିରକୁ ପ୍ରତିଦିନ ଶହ ଶହ ଭକ୍ତ ଆସିଥାନ୍ତି ।  ୨୦୧୭ରେ ମନ୍ଦିରକୁ  ୩୨୦ କୋଟି ଦାନ ଆକାରରେ ମିଳିଥିବାବେଳେ ଗତବର୍ଷ ୪୧୦ କୋଟି ଦାନ ଆକାରରେ ମିଳିଥିଲା ।