ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆଜି । ଭକ୍ତ ଆସିବେନି । ମନ୍ଦିର ସିଲ୍‌ କଲା ପ୍ରଶାସନ । ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି

182

କନକ ବ୍ୟୁରୋ : ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀରେ ଚତୁର୍ଦ୍ଧା ବିଗ୍ରହ ଅଣସର ପିଣ୍ତିକୁ ବିଜେ କରିଛନ୍ତି। ୧୫ ଦିନ ଶ୍ରୀବିଗ୍ରହ ଅଣସର ପିଣ୍ତିରେ ରହିବେ। ଏହି ଅଣସର କାଳରେ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁ ପ୍ରଶାସନ ଅଣସର ଦର୍ଶନକୁ ବନ୍ଦ କରିଛି। ଶ୍ରଦ୍ଧାଳୁଙ୍କ ବିନା ଆସନ୍ତାକାଲିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଆରମ୍ଭ ହେବ। ଏହା ମନ୍ଦିର ଇତିହାସରେ ପ୍ରଥମ ଘଟଣା ବୋଲି ଜଣାପଡ଼ିଛି।

ପ୍ରଶାସନ ପକ୍ଷରୁ ଆଜିଠାରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଛି। ମନ୍ଦିର ଚାରିପଟକୁ ପ୍ରଶାସନ ବ୍ୟାରିକେଡ୍‌ ଦେଇ ସିଲ୍‌ କରିଛି। ଚନ୍ଦନ ଚକଡ଼ା, ଶ୍ରୀମହାଲକ୍ଷ୍ମୀଙ୍କ ମନ୍ଦିର ରାସ୍ତା, ଅଲାରପୁର ଗାଁ ରାସ୍ତା, ସିଂହଦ୍ବାର, ଆନ୍ଦନ ବଜାର ଗେଟ୍‌କୁ ସିଲ୍‌ କରିଛି। ପୂରା ମନ୍ଦିର ଚାରିପଟେ ଲୁହାର ବ୍ୟାରିକେଡ୍‌ ଦିଆଯାଇଛି। ଜଣେ ହେଲେ ବି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯେଭଳି ଯାଇ ନ ପାରିବେ ସେ ନେଇ ପ୍ରଶାସନ ଦୃଢ ପଦକ୍ଷେପ ନେବା ଆରମ୍ଭ କରିଛି। ମନ୍ଦିର ଭିତରେ ଅର୍ଥାତ ଭିତର କାଠ, ଦୋଳବେଦୀ, ଶ୍ରୀଚୈତନ୍ୟ ମଣ୍ତପ, ଶ୍ରୀମହାଲକ୍ଷ୍ମୀଙ୍କ ଚକଡ଼ା, ସିଂହଦ୍ବାର, ଉତ୍ତର ଦ୍ବାର, ଆନ୍ଦନ ବଜାର ଏବଂ ସିଂହଦ୍ବାର ରାସ୍ତାରେ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି ଲଗା ଯାଇଛି।

ଅନ୍ୟପଟେ ଶ୍ରଦ୍ଧାଳୁ ଆସିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଆଜି ମଧ୍ୟରାତ୍ରିରୁ ଶ୍ରୀ ଅଲାରନାଥ ମନ୍ଦିର ପରିସର ଓ ମନ୍ଦିର ବାହାରେ ୧୪୪ ଧାରା ଜାରି ହୋଇଛି। ଏହା ଚଳିତମାସ ୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏଥିସହିତ, ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହିତ ୧୦ ଜଣ ଅଫିସର୍‌ ସ୍ବତନ୍ତ୍ର ଭାବରେ ମନ୍ଦିର ଚାରିପଟେ ନିୟୋଜିତ ହୋଇଛନ୍ତି। ମନ୍ଦିର ଭିତରକୁ କେବଳ ପରିଚୟପତ୍ର ପାଇଥିବା ସେବାୟତ ହିଁ ଯାଇପାରିବେ ବୋଲି ପ୍ରଶାସନ କହିଛି। ଏହାସହିତ ଦିନକୁ ୧୧ ଜଣ ସେବାୟତ ହିଁ ମନ୍ଦିରକୁ ଯାଇ ନୀତିକାନ୍ତି କରିବେ। ସେବାୟତ ଉତ୍ତର ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।