କନକ ବ୍ୟୁରୋ : ଆଜି ରଥଯାତ୍ରାର ଆଦ୍ୟପର୍ବ ପ୍ରସିଦ୍ଧ ସ୍ନାନଯାତ୍ରା । ଏହି ଦିନ ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ଏହି ଉପଲକ୍ଷେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟି ଲାଗି ଓ ଅନ୍ୟାନ୍ୟ ନୀତି ଶେଷ ହୋଇଛି । ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ଆଜି ସଜେଇ ହୋଇଛି । ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯିବା ସହ ଆବଶ୍ୟକ ଲୁହାବାଡ଼ରେ ଅଚ୍ଛାଦିତ କରାଯାଇଛି । ମହାପ୍ରଭୁ ଶ୍ରୀମନ୍ଦିର ପରିସରସ୍ଥିତ ସୁନା କୂଅରୁ ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ ଆଜି ଏହାର ଶୋଧ କାର୍ଯ୍ୟ ଶେଷ ହୋଇଛି । ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ସାଢ଼େ ୫ଟାରୁ ପହଣ୍ଡି ଆରମ୍ଭ ଓ ଅପରାହ୍ଣ ୪ଟାରେ ହାତୀବେଶ ନୀତି ନିର୍ଘଣ୍ଟ ହୋଇଛି । ଭକ୍ତଙ୍କ ପାଇଁ ରାତି ସାଢ଼େ ୭ରୁ ସାଢ଼େ ୯ଟା ଯାଏ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି ।
ଦେବସ୍ନାନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ଵାର ଆଗରେ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ୪୨ ପ୍ଲାଟୁନ୍ ଫୋର୍ସ ଓ ୨୫୦ ଅଫିସରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଭକ୍ତମାନେ ଦର୍ଶନ ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତରଦ୍ଵାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଆଜି ଅପରାହ୍ଣରେ ସିଂହଦ୍ଵାର ଆଗରେ ପୁଲିସ ଆଇଜିଙ୍କ ଉପସ୍ଥିତିରେ ମକ୍ଡ୍ରିଲ୍ କରାଯାଇଛି । ପହଣ୍ଡି ଦର୍ଶନ ଟିକେଟ୍ ବିକ୍ରି ବି ଆଜିଠାରୁ ଆରମ୍ଭ ହୋଇଛି । ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ଆଜିଠାରୁ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଆଜିଠାରୁ ଭକ୍ତଙ୍କ ସମାଗମ ବଢ଼ିବାରେ ଲାଗିଛି ।
ନିର୍ଘଣ୍ଟ ନୀତି ଅନୁଯାୟୀ, ଭୋର ୫ଟାରେ ଠାକୁରଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ । ଡୋର ଲାଗି ଓ ପୁଷ୍ପାଞ୍ଜଳି ନୀତି ପରେ ସକାଳ ସାଢ଼େ ୫ରୁ ସ୍ନାନବେଦୀକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ସକାଳ ସାଢ଼େ ୭ଟାରେ ପହଣ୍ଡି ନୀତି ଶେଷ ପରେ ସକାଳ ୮ଟାରେ ମଙ୍ଗଳ ଆଳତି ଓ ସାଢ଼େ ୮ଟାରେ ମଇଲମ ନୀତି ଅନୁଷ୍ଠିତ ହେବ । ସକାଳ ୯ଟାରେ ତଡ଼ପଲାଗି, ସାଢ଼େ ୯ଟାରେ ଅଧରପୋଛା, ପୂର୍ବାହ୍ଣ ୧୦ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ । ସାଢ଼େ ୧୦ଟାରେ ବେଶ ଶେଷ ପରେ ୧୦ଟା ୪୦ରେ ରୋଷହୋମ ଏବଂ ୧୧ଟାରେ ସୂର୍ଯ୍ୟପୂଜା ନୀତି ଅନୁଷ୍ଠିତ ହେବ । ପୂର୍ବାହ୍ଣ ୧୧ଟା ୨୦ରେ ଦ୍ଵାରପାଳ ପୂଜା ପରେ ମଧ୍ୟାହ୍ନ ୧୨ଟାରୁ ସ୍ନାନକାର୍ଯ୍ୟ ଆରମ୍ଭ ହେବ । ଜଳ ବିଜେ, ପୂଜା ଓ ସ୍ନାନ କାର୍ଯ୍ୟ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଅପରାହ୍ଣ ସାଢ଼େ ୨ଟାରେ ମଇଲମ ଓ ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କାର୍ଯ୍ୟ ଶେଷ ହେବ । ସାଢ଼େ ୩ଟାରେ ଗଜପତି ମହାରାଜଙ୍କ ଛେରା ପହଁରା ପରେ ଅପରାହ୍ଣ ୪ଟାରେ ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ । ଅପରାହ୍ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ମହାପ୍ରଭୁ ହାତୀବେଶରେ ଦର୍ଶନ ଦେବା ପରେ ସଂଧ୍ୟା ୫ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହେବ। ସଂଧ୍ୟା ସାଢ଼େ ୫ଟାରୁ ରାତି ସାଢ଼େ ୭ଟା ଘଣ୍ଟଛତା ସକାଳ ଧୂପ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୯ଟା ସାହାଣମେଲା ଦର୍ଶନ, ରାତି ୧୦ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ବାହୁଡ଼ା ପହଣ୍ଡି ଏବଂ ରାତି ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/Sequence-2-01414913.jpg)
/kanak/media/post_attachments/wp-content/uploads/2016/06/snana-yatra.jpg)
/kanak/media/post_attachments/wp-content/uploads/2018/06/puri.jpg)