ଗୋଟିଏ ଭେଣ୍ଟିଲେଟରରେ ଚାଲିଛି ବୁର୍ଲା ବଡ଼ ମେଡିକାଲର ଶିଶୁ ରୋଗ ବିଭାଗ : ୩ ଦିନରେ ଆଖି ବୁଜି‌ଲେଣି ୪ ଶିଶୁ

242

କନକ ବ୍ୟୁରୋ : ଗୋଟିଏ ମାତ୍ର ଭେଣ୍ଟିଲେଟରରେ ଚାଲିଛି ବୁର୍ଲା ବଡ଼ ମେଡିକାଲର ଶିଶୁ ରୋଗ ବିଭାଗ । ପ୍ରତିଦିନ ମେଡିକାଲର ଏହି ବିଭାଗକୁ ୨୦ରୁ ୩୦ ଜଣ ରୋଗୀ ଆସୁଛନ୍ତି । କିନ୍ତୁ ନାହିଁ ନାହିଁରେ ଚାଲିଛି ପିକୁ ବା ଶିଶୁ ରୋଗ ଆଇସିୟୁ । ଗତ ୩ ଦିନ ମଧ୍ୟରେ ମେଡିକାଲର ଏହି ପିକୁରେ ଚିକିତ୍ସା ସୁବିଧା ନପାଇ ୪ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି । ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ତଥା ତଥା ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀ ଏହି ମେଡିକାଲ ଉପରେ ନିର୍ଭରଶୀଳ । କିନ୍ତୁ ଶିଶୁ ରୋଗ ବିଭାଗର ଏଭଳି ସ୍ଥିତି ଯୋଗୁଁ ଲୋକେ ଆଉ ମେଡିକାଲ ଆସିବାକୁ ଇଚ୍ଛା କରୁନାହାନ୍ତି । ଘଟଣା ସମ୍ପର୍କରେ ମେଡିକାଲ ଅଧୀକ୍ଷକ ଡା. ଜୟଶ୍ରୀ ଦୋରାଙ୍କୁ ପଚାରିବାରେ ଏସମ୍ପର୍କରେ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ।

ବୁର୍ଲା ମେଡିକାଲର ଶିଶୁ ରୋଗ ବିଭାଗରେ ଥିବା ୩ଟି ୟୁନିଟରେ ୯୦ଟି ବେଡ୍‌ ରହିଛି । କିନ୍ତୁ ସବୁବେଳେ ମେଡିକାଲର ଅନ୍ତଃବିଭାଗରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହୁଛି । ପଶ୍ଚିମ ଓଡିଶାର ଏହି ଗୋଟିଏ ସରକାରୀ ବଡ଼ ମେଡିକାଲରେ ପିଆଇସିୟୁ ବ୍ୟବସ୍ଥା ରହିଛି । କିନ୍ତୁ ଏଥିରେ ଥିବା ୬ଟି ବେଡ୍‌ ପାଇଁ ମାତ୍ର ୪ଟି ଭେଣ୍ଟିଲେଟର ସୁବିଧା ଅଛି । ଏହା ମଧ୍ୟରୁ ଗୋଟିଏ ଦୀର୍ଘମାସ ହେବ ଅଚଳ ହୋଇ ପଡ଼ିଥିବା ବେଳେ ଏବେ ଆଉ ୨ଟି କାମ କରୁନି । ଫଳରେ ସେହି ଗୋଟିଏ ଭେଣ୍ଟିଲେଟରରେ ରୋଗୀଙ୍କ ଚିକିତ୍ସା କରାଯାଉଛି ।

ଶୁକ୍ରବାର ବରଗଡ଼ ଜିଲ୍ଲା ଭେଡେନରୁ ଆସିଥିବା ୨ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ସେମାନଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲେ ହୁଏତ ଅଧିକ କିଛି ସମୟ ସେମାନେ ବଞ୍ଚିପାରିଥାନ୍ତେ । କିନ୍ତୁ ସେହି ସମୟରେ ମେଡିକାଲର ପିକୁରେ ଉପଲବ୍ଧ ଗୋଟିଏ ଭେଣ୍ଟିଲେଟରରେ ଜଣେ ଗୁରୁତର ଶିଶୁ ରହିଥିବାରୁ ଏହି ୨ ଶିଶୁଙ୍କୁ ଚିକିତ୍ସା ମିଳିପାରିନଥିଲା । କେବଳ ଏହି ଘଟଣା ନୁହେଁ ବରଂ ବିଗତ ୩ ଦିନ ମଧ୍ୟରେ ଏଭଳି ୪ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି । ଯେଉଁଠି ଭେଣ୍ଟିଲେଟର ସୁବିଧା ମିଳିପାରିଥିଲେ ଏହି ରୋଗୀଙ୍କ ଜୀବନ ହୁଏତ ବଞ୍ଚିଯାଇପାରିଥାନ୍ତା ବୋଲି ଖୋଦ୍‌ ଡାକ୍ତର ମଧ୍ୟ ସ୍ବୀକାର କରିଛନ୍ତି । ଭେଣ୍ଟିଲେଟର ମରାମତି ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ବାରମ୍ବାର ଚିଠି ଲେଖାଯିବା ପରେ ମଧ୍ୟ ଏଦିଗରେ କୌଣସି ସମାଧାନ ହେଉନଥିବା ଜଣାପଡ଼ିଛି ।

ଅପରପକ୍ଷେ, ବୁର୍ଲା ମେଡିକାଲର ଏସ୍‌ଏନ୍‌ସିୟୁ ଓ ଏନ୍‌ଆଇସିୟୁରେ ଗତ ଗୋଟିଏ ମାସ ମଧ୍ୟରେ ମୋଟ ୪୬୭ ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା । ଯେଉଁଥିରୁ ୮୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।