କନକ ବ୍ୟୁରୋ : କାଲିମେଳାରୁ ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥରେ ପଡ଼ୁଥିବା ପୋଟେରୁ ପୋଲ ଏବେ ଅସୁରକ୍ଷିତ ହୋଇପଡ଼ିଛି । କାଲିମେଳା ବ୍ଳକ ଠାରୁ ମାତ୍ର ୧୫ କିମି ଦୂରରେ ରହିଥିବା ଏହି ପୋଲଟି ଯେକୌଣସି ମୂହୁର୍ତରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି । ଡ଼ିଏନକେ ପ୍ରକଳ୍ପ ସମୟରେ ଏହି ପୋଲଟି ନିମାର୍ଣ ହୋଇଥିବାର ଅନୁମାନ କରାଯାଉଛି । ଏହି ପୋଲର ତଳଭାଗରୁ ସିମେଣ୍ଟ କଂକ୍ରିଟ ଛାଡ଼ି ଯିବା ସହିତ ଲୁହା ରଡ଼ ଦେଖାଗଲାଣି । ପୋଲର ସବୁ ପିଲର ଦୁର୍ବଳ ହୋଇଗଲାଣି । ଛାତରୁ ସିମେଣ୍ଟ ଖଣ୍ତ ଖସୁଥିବା ବେଳେ ପୋଲର ଉପର ଅଂଶ ମଧ୍ୟ ଖାଲଖମାରେ ଭର୍ତି ହୋଇଗଲାଣି।
ତେବେ ବାରମ୍ବାର ପୋଲର ଉପରି ଭାଗକୁ କଂକ୍ରିଟ କରାଯାଉଥିଲେ ମଧ୍ୟ ବନ୍ୟାରେ ତାହା ଧୋଇ ହୋଇଯାଉଛି । ପ୍ରତିବର୍ଷ ବନ୍ୟା ହେଲେ ପୋଟେରୁ ପୋଲ ଉପରେ ୫ରୁ ୧୦ଫୁଟ ବନ୍ୟାଜଳ ପ୍ରବାହିତ ହୋଇଥାଏ । ଏଥି ସହିତ ବନ୍ୟାଜଳ ପୋଲରେ ବାରମ୍ବାର ମାଡ଼ ହେଉଥିବାରୁ ପୋଲଟି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏହି ପୋଲ ଦେଇ ଦୈନିକ ଭୁବନେଶ୍ବରରୁ କାଲିମେଳାକୁ ଅନେକ ଦ୍ରୁତଗାମୀ ବସ ଯିବା ଆସିବା କରୁଛି । ଏଥି ସହିତ କାଲିମେଳା ଓ ପଡ଼ିଆ ବ୍ଲକକୁ ଏହିବାଟ ଦେଇ ପିଡ଼ିଏସ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟସାମଗ୍ରୀ ମଧ୍ୟ ଟ୍ରକ ଗୁଡ଼ିକରେ ଆସୁଛି। ଜୟପୁର ଠାରୁ ମୋଟୁ ଓ ପଡ଼ିଆ ବ୍ଲକ ଦେଇ ଛତିଶଗଡ଼, ଆନ୍ଧ୍ର ପ୍ରଦେଶକୁ ଏହି ରାସ୍ତାଦେଇ ଯିବାକୁ ପଡ଼ିଥାଏ।
ଗତମାସରେ କାଲିମେଳା ବ୍ଲକରେ ୪ଥର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା । ବନ୍ୟା ଯୋଗୁଁ ଏହି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ମଧ୍ୟ ବାରମ୍ବାର ବିଛିନ୍ନ ହୋଇଯାଇଥିଲା। ଏପରିକି ପୋଟେରୁ ଅବବାହିକାରେ ଥିବା ଗାଁ ଭିତରକୁ ମଧ୍ୟ ବନ୍ୟାଜଳ ପଶିଯାଇଥିଲା । ପୋଟେରୁ ବଜାର ଭିତରରେ ଥିବା କେତେକ ଦୋକାନରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଥିଲା । ପୂର୍ବରୁ ୨୫ନଂ ରାଜ୍ୟ ରାଜପଥର ମାନ୍ୟତା ପାଇଥିବା ଏହି ରାସ୍ତା ଏବେ ୩୨୬ନଂ ଜାତୀୟ ରାଜପଥ ମାନ୍ୟତା ପାଇସାରିଛି । ଜାତୀୟ ରାଜପଥର ମାନ୍ୟତା ପାଇଲା ପରେ ଏହି ପୋଲ ଉପରେ ଦୁଇଥର ସିମେଣ୍ଟ କଂକ୍ରିଟ କରାଯାଇସାରିଲାଣି ।
ସେହିପରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ପୋଲର ଦୁଇପାର୍ଶ୍ବରେ “ଦୁର୍ବଳ ପୋଲ ଗାଡ଼ି ଧୀରେ ଚଲାନ୍ତୁ” ବୋଲି ଲେଖାଯାଇଥିବାର ଦେଖିବାକୁ ମିଳିଛି । ଗତ ମାସରେ ହୋଇଥିବା ବନ୍ୟାରେ ପୋଲ ଉପରେ ୧୦ଫୁଟର ବନ୍ୟାଜଳ ପ୍ରବାହିତ ହୋଇଥିବାବେଳେ ଜିଲ୍ଲାପାଳ ନିଜେ ଏହି ସ୍ଥାନକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ଖୁବଶୀଘ୍ର ଏଠାରେ ନୂତନ ପୋଲ ନିମାର୍ଣ କରାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେତେବେଳେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହୋଇଛି ।