ଶେଷ ହେଲା ବଡ଼ଆଖଡ଼ା ମଠ ଉଚ୍ଛେଦ : ମେଡ଼ିକାଲ ଛକରୁ ସ୍ପଷ୍ଟ ଦିଶୁଛି ଶ୍ରୀମନ୍ଦିର

267

କନକ ବ୍ୟୁରୋ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନକୁ ଗତକାଲି ୧୪ ଦିନ ପୂରିଥିବା ବେଳେ ସଂଧ୍ୟା ସୁଦ୍ଧା ଜିଲ୍ଲା ପ୍ରଶାସନ ବଡ଼ଆଖଡ଼ା ମଠକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛି । ବଡ଼ଆଖଡ଼ା ଉଚ୍ଛେଦର ୮୦ ପ୍ରତିଶତ କାମ ସରିଥିଲା, ଗତକାଲି ମଠର ବାକି କୋଠାକୁ ଏକାଧିକ ଜେସିବି ଲଗାଇ ଭାଙ୍ଗି ଦେଇଛି ପ୍ରଶାସନ । ଏହା ପରେ ପାଳି ସାନଛତା ମଠର । ନିର୍ଦ୍ଦେଶ ପାଇନଥିଲେ ମଧ୍ୟ ସାନଛତା ‌ମଠ ସଂଲଗ୍ନ ବ୍ୟବସାୟୀମା‌ନେ ସେମାନଙ୍କ ଦୋକାନ ଘର ଖାଲି କରିବା ଆରମ୍ଭ କରିଛନ୍ତି । ଦୋଳବେଦି କୋଣ ଦୋକାନୀ ଆଜି ସଂଧ୍ୟା ସୁଦ୍ଧା ଅଧାରୁ ଅଧିକ ଜିନିଷପତ୍ର ଖାଲି କରି ଦେଇଛନ୍ତି ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାମ ଜାରି ରହିଥିଲା । ସବୁଠୁ ବଡ଼ କଥା ହେଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ଦୋଳବେଦିରେ ମହାପ୍ରଭୁଙ୍କ ହୋଲି ଖେଳ ଦେଖିବାରୁ ବଞ୍ଚିତ ହେଉଥିଲେ। ବଡ଼ଆଖଡ଼ା ମଠ ଓ ଅନ୍ୟ ମଠ ଉଚ୍ଛେଦ ପରେ ଭକ୍ତମାନେ ଏଣିକି ନିର୍ବିଘ୍ନରେ ସିଂହଦ୍ବାରରୁ ମହାପ୍ରଭୁଙ୍କ ହୋଲି ଖେଳ ଦେଖି ପାରିବେ ।

ବଡ଼ଆଖଡ଼ା ମଠ ଯୋଗୁଁ ଭକ୍ତ ତଥା ସ୍ଥାନୀୟ ବାସିନ୍ଦା ମାର୍କେଟ୍‌ ଛକରୁ ବି ଶ୍ରୀମନ୍ଦିରକୁ ସ୍ପଷ୍ଟ ଦର୍ଶନ କରି ପାରୁନଥିଲେ । ବଡ଼ଆଖଡ଼ା ସଂପୂର୍ଣ୍ଣ ଉଚ୍ଛେଦ ପରେ ଆଜି ମେଡିକାଲ ଛକରୁ ଶ୍ରୀମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହୋଇଛି । ଭକ୍ତ, ପର୍ଯ୍ୟଟକ ଏକଦମ୍ ପାଖରୁ ବଡ଼ଦେଉଳ ଦେଖିବାର ସୁଯୋଗ ପାଇଛନ୍ତି । ମେଘନାଦ ପାଚେରି ସହ ଶ୍ରୀମନ୍ଦିର ଆଜି ସ୍ପଷ୍ଟ ଦୃଶ୍ୟମାନ ହେବା ପରେ ଜଗନ୍ନାଥପ୍ରେମୀଙ୍କ ମହଲରେ ଏହାକୁ ନେଇ ଆନନ୍ଦ ପ୍ରକାଶ ପାଇଛି । ବଡ଼ଆଖଡ଼ା ମଠ ଉଚ୍ଛେଦ ଶେଷ ପରେ ମଠ ମନ୍ଦିର ସୌନ୍ଦର୍ଯ୍ୟ ଫୁଟି ବାହାରକୁ ଆସିଛି ।

ମଠ ମନ୍ଦିର କେତେ ଯେ ସୁନ୍ଦର ତାହା ବଡ଼ଆଖଡ଼ା ମଠ ମନ୍ଦିର ଚିତ୍ରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଗତକାଲି ସଂଧ୍ୟା ସୁଦ୍ଧା ବଡ଼ଆଖଡ଼ା ମଠର ସଂପୂର୍ଣ୍ଣ ଘରକୁ ମାଟିରେ ମିଶାଇବାକୁ ଲକ୍ଷ୍ୟ ରଖିଥିବା ଜିଲ୍ଲା ପ୍ରଶାସନ ସ୍ଥାନୀୟ ଗଣେଶ ପୂଜା କମିଟି ଓ ଦୋକାନୀଙ୍କ ଅନୁରୋଧ କ୍ରମେ ଏହି ଅଭିଯାନକୁ ଅଧାରେ ସ୍ଥଗିତ ରଖିଥିଲା । ଗତକାଲି ରାତିରେ ଗଣେଶଙ୍କ ମେଢ଼ ଉଠିଯିବା ସହ ଦୋକାନୀମାନେ ବାକି ରହି ଯାଇଥିବା ଆସବାବପତ୍ର ଖାଲି କରିବା ପରେ ଆଜି ସକାଳୁ ମଠର ବାକି ଅଂଶକୁ ଭାଙ୍ଗି ଦିଆଯାଇଛି ।

ଉଚ୍ଛେଦ ପାଇଁ ଆଜି ବି ଏକାଧିକ ମାଜିଷ୍ଟ୍ରେଟ୍‌ଙ୍କ ସହ ଶହ ଶହ ପୁଲିସ୍‌ ବ୍ୟାରିକେଡ୍ ପକାଇ ଜଗି ରହିଥିଲେ । ଭକ୍ତଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ସିଂହଦ୍ବାର ଦେଇ ସିଧାସଳଖ ଦର୍ଶନ ପାଇଁ ଛଡ଼ାଯାଇଥିଲା । ଅନ୍ୟପଟେ ଆଇନଶୃଙ୍ଖଳା ଉପରେ ନଜର ରଖିବା ପାଇଁ ଗଳିକନ୍ଦିରେ ପୁଲିସ ଫୋର୍ସ ଜଗି ରହିଥିଲେ । ଅପରାହ୍ଣ ଗୋଟାଏ ସୁଦ୍ଧା ସଂପୂର୍ଣ୍ଣ କୋଠାକୁ ମାଟିରେ ମିଶାଇ ଦିଆଯିବା ପରେ ଏହାର ଭଗ୍ନାବଶେଷ ଖାଲି କରିବା ଅଭିଯାନକୁ ‌ଜୋରଦାର କରାଯାଇଛି ।
ଏକାଧିକ ଜେସିବି ଓ ଟ୍ରକ ଲଗାଇ ଭଗ୍ନାବଶେଷଗୁଡ଼ିକୁ ପୁରୁଣା ଜେଲଠାରେ ଥିବା ଖାଲ ସ୍ଥାନରେ ପକାଯାଇ ସମତୁଲ କରାଯାଉଛି । ସାନଛତା ମଠ ଉଚ୍ଛେଦ କେବେ ଆରମ୍ଭ ହେବ ସେ ସଂପର୍କରେ ପ୍ରଶାସନ ସ୍ପଷ୍ଟ କରିନଥିଲେ ବି ଦିନେ ଦୁଇ ଦିନ ଭିତରେ ଉଚ୍ଛେଦ ହେବ ବୋଲି ଜଣାପଡ଼ିଛି ।