ଦିଲ୍ଲୀରେ ୧ଟା ସୁଦ୍ଧା ୧୯ ଦଶିମକ ୩୭ ପ୍ରତିଶତ ମତଦାନ : ଭୋଟ ଦେଲେ ବହୁ ହେଭିୱେଟ ନେତା, କ୍ଷମତା ବଜୟା ରଖିବା କେଜରିୱାଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

187

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା ୬ଟା ଯାଏଁ ଚାଲିବ । ଦିନ ୧୧ଟା ସୁଦ୍ଧା ୧୧ ଦଶମିକ ୯୦ ପ୍ରତିଶତ ମତଦାନ ହୋଇଛି । ମତଦାନ କେନ୍ଦ୍ର ଲୋକେ ଧାଡିରେ ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ମୋଟ୍ ୧ କୋଟି ୪୭ ଲକ୍ଷ ଭୋଟର ୧୩ ହଜାର ୭୫୦ ପୁଲିଂ ବୁଥରେ ମତଦାନ କରୁଛନ୍ତି । ୭୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ଦିଲ୍ଲୀରେ ବିଶେଷ କରି ଏଥର ତ୍ରିମୁଖୀ ଲଢେଇ ହେଉଛି । ୨୦ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ଦୂରରେ ଥିବା ବିଜେପି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଯାଇଛି । ସେପଟେ ୫ବର୍ଷ ଶାସନର ଉପଲବ୍ଧିକୁ ଆଧାର କରି କ୍ଷମତା ବଜାୟ ରଖିବାକୁ କସରତ କରୁଛନ୍ତି ଆପ ମୁଖ୍ୟ । ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଓ ବିଜେପିକୁ ଚକମା ଦେବାକୁ ଯୋଜନା କରୁଛି କଂଗ୍ରେସ । ଅରବିନ୍ଦ କେଜ୍ରିୱାଲ ୨୦୧୩ରେ କଂଗ୍ରେସକୁ ହରାଇ ନୂଆ ଦିଲ୍ଳୀରେ କ୍ଷମତାକୁ ଆସିବା ପରଠାରୁ ଦଳର ଜୟ ଯାତ୍ରା ଜାରି ରହିଛି ।

ସେପଟେ ଦିଲ୍ଲୀରେ ଥିବା ୮ ଲକ୍ଷରୁ ଅଧିକ ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର ଉଦ୍ୟମ କରିଛି ବିଜେପି । ମିଳିଥିବା ସୂଚନା ଅନୁସାରେ , ଦିଲ୍ଲୀରେ ଡେରା ପକାଇଛନ୍ତି ଓଡିଶା ବିଜେପିର ସମସ୍ତ ସାଂସଦ । ସେହିପରି ଓଡିଶାରୁ ଯୁବ ବିଜେପିର ଏକ ୩୫ ଜଣିଆ ଟିମ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ସେପଟେ ଓଡିଆଙ୍କ ଭୋଟ ହାତେଇବା ପାଇଁ ଘରକୁ ଘର ବୁଲି ପ୍ରଚାର କରିଛନ୍ତି ଦୁଇ ଓଡିଆ କେନ୍ଦ୍ର ମନ୍ତ୍ରୀ ।

ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମାଇକ୍ରୋ ମ୍ୟାନେଜମେଂଟ କରି ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି । ପ୍ରଥମ ଥର ପାଇଁ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ପ୍ରଧାନ ମଧ୍ୟ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ହାଇୱା ବିଜେପି ସପକ୍ଷରେ ରହିବ ବୋଲି ଦମ୍ଭୋକ୍ତି କରିଛନ୍ତି ବିଜେପି ନେତା ଓ ମନ୍ତ୍ରୀ ।