ଜଳୁଛି ଉତ୍ତର ଭାରତ : ରାଜଧାନୀ ଦିଲ୍ଲୀରେ ରେକର୍ଡ଼ ଭାଙ୍ଗିଲା ତାତି, ତାପମାତ୍ରା ୪୮ ଡିଗ୍ରି ଛୁଇଁଲା

83

କନକ ବ୍ୟୁରୋ : ଦିଲ୍ଲୀ ଏବଂ ଉତ୍ତର ଭାରତ ଏବେ ଗରମରେ ଜଳୁଛି । ଆଜି ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରି ଛୁଇଁବା ସହ ରେକର୍ଡ କରିଛି। ପୂର୍ବରୁ ଜୁନ୍‌ ମାସରେ ଦିଲ୍ଲୀରେ ତାପମାତ୍ରା କେବେ ବି ୪୮ ଡିଗ୍ରି ଛୁଇଁ ନଥିଲା । ପାଲାମ ଅଞ୍ଚଳରେ ଏହି ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ପାଲାମଠାରୁ ୧୪ କିମି ଦୂର ସଫଦରଜଙ୍ଗ ଅଞ୍ଚଳରେ ତାପମାତ୍ରା ୪୫.୬ ଡିଗ୍ରି ଥିବା ରେକର୍ଡ କରାଯାଇଛି । ପୂର୍ବରୁ ୨୦୧୪ ଜୁନ୍ ୯ ତାରିଖରେ ଦିଲ୍ଲୀର ତାପମାତ୍ରା ରେକର୍ଡ ୪୭.୮ ଡିଗ୍ରି ଥିଲା। ‌ଆଜି ସେହି ପୂର୍ବ ରେକର୍ଡ ଭାଙ୍ଗିଛି ବୋଲି ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ।

ସେହିଭଳି ୧୯୯୮ ମସିହା ମେ ମାସ ୨୬ ତାରିଖରେ ଦିଲ୍ଲୀରେ ତାପମାତ୍ରା ୪୮.୪ ଡିଗ୍ରି ଥିଲା, ଯାହାକି ସର୍ବକାଳୀନ ରେକର୍ଡ । ଦିଲ୍ଲୀରେ ଆଜି ସକାଳେ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଥିଲା ବୋଲି ପାଣିପାଗ ବିଜ୍ଞାନୀ‌ ଦେବେନ୍ଦ୍ର ପ୍ରଧାନ କହିଛନ୍ତି । ଜୁନ୍ ୧୨ ପରେ ତାପମାତ୍ରା କିଛିଟା ହ୍ରାସ ଘଟିପାରେ ବୋଲି ସେ କହିଛନ୍ତି । ତେବେ ରାଜସ୍ଥାନରେ ଗତ କିଛିଦିନ ତାପମାତ୍ରା ଅଧିକ ରହୁଛି । ରାଜସ୍ଥାନର ଚୁରୁ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ବୋଲି ଚିହ୍ନଟ ହୋଇଛି ।