ସିଏଏକୁ ନେଇ ଦିଲ୍ଲୀର ମୌଜପୁରରେ ହିଂସା : ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଜନତା, ହିଂସାକାଣ୍ଡରେ ଜଣେ ପୋଲିସ୍ କନେଷ୍ଟବଳ ମୃତ

441

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ମୌଜପୁରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି । ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକ ଓ ସମର୍ଥକ ସାମ୍ନାସାମ୍ନି ହୋଇଛନ୍ତି । ହିଂସାକାଣ୍ଡ ସମୟରେ ଦିଲ୍ଲୀ ପୋଲିସର ଜଣେ ହେଡ଼୍ କନେଷ୍ଟବଳ ରତନ ଲାଲଙ୍କ ମୃତ୍ୟୁ ହୋଇଛି । ଗୋକୁଲପୁର ଏସପି  ଅଫିସରେ କାର୍ଯ୍ୟରତ ଥିଲେ ମ୍ୟୃତ କନେଷ୍ଟବଳ । ଏହି ହିଂସାକାଣ୍ଡରେ ଅନେକ ପୋଲିସ୍ କର୍ମୀ ଆହତ ହୋଇଛନ୍ତି । ଏତିକି ନୁହେଁ ଶହାଦରାର ଡିଏସପି ଅମିତ ଶର୍ମା ମଧ୍ୟ ଏହି ହଂସାକାଣ୍ଡରେ  ଆହତ ହୋଇଛନ୍ତି । ତାଙ୍କୁ ପତପଡ଼ଗଞ୍ଜର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ସିଏଏକୁ ନେଇ ଆଜି ଜାତୀୟ ରାଜଧାନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଆରମ୍ଭ ହୋଇଥିଲା । ସମର୍ଥକ ଓ ବିରୋଧୀ ଗୋଷ୍ଠୀ ଉଭୟ ଉଭୟଙ୍କ ଉପରକୁ ପଥର ଫୋପଡ଼ା ଫୋପଡ଼ି କରିଥିଲେ । କେବଳ ଏତିକି ନୁହେଁ ଘଟଣାସ୍ଥଳରେ ଗୁଳିମାଡ଼ ମଧ୍ୟ ହୋଇଥିଲା । ଉତ୍ତେଜିତ ଲୋକେ ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଏଥିରେ ୬ଟି ମୋଟର ସାଇକେଲ, ୩ଟି ଅଟୋ ଓ ଗୋଟିଏ କାର ସଂପୂର୍ଣ୍ଣ ରୂପେ ଜଳିଯାଇଥିଲା ।  ଆଜି ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ଡ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ସ୍ଥିତି ଅଣାୟତ ହେବାରୁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ଏବେ ବି ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ହିଂସାରେ ସାମିଲ ଥିବା ଲୋକଙ୍କୁ ଗିରଫ କରିବା ପାଇଁ ସିସିଟିଭି ଯାଞ୍ଚ କରୁଛି  ପୋଲିସ ।  ପୋଲିସ ଅନୁସାରେ ରାଲି ସମୟରେ ଦେଖାଯାଇଥିବା ଯୁକ୍ତିତର୍କ ହିଂସାରେ ପରିଣତ ହୋଇଥିଲା ।