ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ ଘଟଣା : ତଦନ୍ତ ପାଇଁ ଦିଲ୍ଲୀରୁ ଆସିଲେ ଅଧିକାରୀ,ବୁଧବାର ଦିନ ଆଇଏଏସ୍ ଅଫିସରଙ୍କୁ କରାଯାଇଛି ନିଲମ୍ବନ

293

କନକ ବ୍ୟୁରୋ : ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ ଘଟଣାରେ ତଦନ୍ତ ପାଇଁ ଦିଲ୍ଲୀରୁ ଆସିଲେ ଅଧିକାରୀ । ଏହି ଘଟଣାକୁ ନେଇ ଗତ ବୁଧବାର ଦିନ ଆଇଏଏସ୍ ଅଫିସର ମହମ୍ମଦ ମହସିନଙ୍କୁ ସସପେଣ୍ଡ୍ କରାଯାଇଛି । ଘଟଣା ପରେ ମୁଖ୍ୟ ନିର୍ବାଚନ କମିଶନ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ କରିଥିବା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ତୁରନ୍ତ ସସପେଣ୍ଡ କରିଥିଲେ । ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ ବେଳେ ଦିଆଯାଇଥିବା ସୂଚନାକୁ ଠିକ୍ ଭାବେ ପାଳନ କରାଯାଇନଥିବା କହିିଥିଲେ ମୁଖ୍ୟ ନିର୍ବାଚନ କମିଶନ । ଏହାକୁ ନେଇ ଡେପୁଟି ନିର୍ବାଚନ କମିଶନ ଉମେଶ ସିହ୍ନା ସୂଚନା ଦେଇଛନ୍ତି ଯେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି ।

ସେଠାରେ ତଦନ୍ତ କରିବା ସହ ମହମ୍ମଦ ମୋହସିନଙ୍କ ସହ ଅନ୍ୟ ଅଧିକାରୀଙ୍କୁ ଭେଟି ତଥ୍ୟ ସଂଗ୍ରହ କରିବେ ଏବଂ ରିପୋର୍ଟ ଦେବା ପରେ କିଛି କୁହାଯାଇପାରିବ ବୋଲି ସେ କହିଛନ୍ତି । କର୍ଣ୍ଣାଟକ କ୍ୟାଡରର ୧୯୯୬ ବ୍ୟାଚର ଆଇଏଏସ ହେଉଛନ୍ତି ମହମ୍ମଦ ମୋହସିନ୍ । ରିପୋର୍ଟରେ କୁହାଯାଇଛି ସଂବଲପୁରରେ ଜେନେରାଲ୍ ଅବଜରଭର ଦାୟିତ୍ୱରେ ଥିବା ମହମ୍ମଦ ମୋହସିନ୍ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ କରିଥିଲେ । ଫଳରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ୧୫ ମିନିଟ୍ ପାଇଁ ବିଳମ୍ୱ ହୋଇଥିଲା । ତେବେ ଏଠାରେ ସୂଚନା ଦିଆଯାଇପାରେ ବ୍ଲୁ ବ୍ରୁକ୍ ସିକୁରିଟି ଅନୁସାରେ ଏସପିଜି ଆକ୍ଟ ଅନୁସାରେ ସୁରକ୍ଷାରେ ଆସିଥାନ୍ତି ପ୍ରଧାନମନ୍ତ୍ରୀ । ତେଣୁ ତାଙ୍କର ବିମାନକୁ ଯାଂଚ କରାଯାଇପାରିବ ନାହିଁ । ଏପରି କରିବା ଆଇନକୁ ଭଂଗ କରିବା ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ ।