ଦିଲ୍ଲୀକୁ ଡେଇଁଲା କରୋନା ଭୂତାଣୁ : ସନ୍ଦେହ ଘେରକୁ ଆସିବା ପରେ ୫ ଜଣ ଡାକ୍ତରଖାନାରେ ଭର୍ତ୍ତି

401

କନକ ବ୍ୟୁରୋ : କେରଳ ପରେ ଦିଲ୍ଲୀକୁ ଡେଇଁଲା କରୋନା ଭୂତାଣୁ । ଦିଲ୍ଲୀରେ ୫ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ସନ୍ଦେହ ଘେରକୁ ଆସିବା ପରେ ଏପରି ସୂଚନା ମିଳିଛି । ଦିଲ୍ଲୀ ବିମାନ ବନ୍ଦରରେ ଚୀନରୁ ଫେରିଥିବା ୫ ଜଣଙ୍କୁ ଯାଂଚ ବେଳେ ସେମାନଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଥିଲା । ଏହା ପରେ ଏହି ୫ ଜଣଙ୍କୁ ଦିଲ୍ଲୀର ଏମଆରଏଲ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଏମାନଙ୍କର ଠାରୁ ନମୂନା ସଂଗ୍ରହ କରାଯାଇ ପୁନେ ପଠା ଯାଇଛି ।

ସେହିପରି ମୁମ୍ୱାଇ ବିମାନ ବନ୍ଦରରେ ୨୮ ଜାନୁଆରୀ ସୁଦ୍ଧା ୪ ହଜାର ୮ ଶହ ୪୬ ଲୋକଙ୍କ ଯାଂଚ କରା ଯାଇଛି । ସେମାନଙ୍କ ମଧ୍ୟରୁ ୨୮ ମହାରାଷ୍ଟ୍ରରୁ ଯେଉଁମାନଙ୍କ ଠାରେ କରୋନା ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଥିଲା । ସେମାନଙ୍କୁ ସ୍ପେଶାଲ ୱାର୍ଡକୁ ପଠାଇ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ୪ ଜଣଙ୍କ ପରୀକ୍ଷା ରିପୋର୍ଟ ଆଜି ଆସିବ । ଗତକାଲି ଭାରତରେ କରୋନା ଭୂତାଣୁରେ ସଂକ୍ରମିତ ପ୍ରଥମ ରୋଗୀ ଚିହ୍ନଟ ହୋଇଛି କେରଳରେ ।

ସଂକ୍ରମିତ ଛାତ୍ରୀ ଜଣକ ଚୀନ୍ର ୟୁହାନରେ ରହି ପାଠ ପଢୁଥିବା ବେଳେ ନିକଟରେ ଭାରତ ଫେରିଥିଲେ । ଏହି ଛାତ୍ରୀଙ୍କୁ ଏବେ କେରଳର ଥ୍ରିସୁର ଜେନେରାଲ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି । ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି । ଏକ ଡାକ୍ତରୀ ଟିମ୍ ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରୁଥିବା ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ।

ଚୀନରେ ବଢୁଥିବା କରୋନା ଭୂତାଣୁ ଏବେ ମହାମାରୀ ଭଳି ବ୍ୟାପି ଚାଲିଛି । ଏହା ମଧ୍ୟରେ ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପି ସାରିଲାଣି । ଏହି ଭୂତାଣୁର ସଂକ୍ରମଣରେ ଚୀନରେ ବର୍ତମାନ ସୁଦ୍ଧା ୨୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୦ ହଜାର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୮୨ ହଜାର ଲୋକଙ୍କ ଉପରେ ବି ଚୀନ ସରକାର ରଖିଛନ୍ତି ଫୋକସ । ଏହି ସମସ୍ତଙ୍କ ଠାରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ଏମାନଙ୍କୁ ବି ଚିକିତ୍ସା ବ୍ୟବସ୍ଥା ଭିତରକୁ ଅଣାଯିବାକୁ ନିଷ୍ପତି ନେଇଛି ଚୀନ ସରକାର ।

ସେପଟେ ଚୀନର ଉହାନ ପ୍ରୋଭିନ୍ସରେ ଥିବା ୬୦୦ ଭାରତୀୟଙ୍କୁ ଫେରାଇ ଆଣିବାକୁ ଆଜି ଠାରୁ ଆରମ୍ଭ ହେବ ପ୍ରକ୍ରିୟା । ଏନେଇ ଦୁଇଟି ବିମାନ ବ୍ୟବସ୍ଥା କରାଯିବ । ପ୍ରଥମ ଦଫାରେ ୩୧୫ ଜଣ ଆସିବା ନେଇ ସୂଚନା ମିଳିଛି । ଚୀନ ସରକାରଙ୍କ ଠାରୁ ଆଧିକାରିକ ଭାବେ ସୂଚନା ମିଳିବା ପରେ ପରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।