ସଂସଦ ଭିତରକୁ ଛୁରୀ ଧରି ଧସେଇ ପଶିବାକୁ ଉଦ୍ୟମ କରୁଥିଲା ରାମରହିମଙ୍କ ପ୍ରଶଂସକ : ଯୁବକଙ୍କୁ ଗିରଫ କଲା ପୋଲିସ୍

244

କନକ ବ୍ୟୁରୋ : ହାତରେ ଥିଲା ଚାକୁ, ମୁହଁରେ ଥିଲା ରାମ ରହିମର ନାରା । ଏକ ବାଇକରେ ସଂସଦ ଭବନକୁ ଧସେଇ ପଶୁଥିଲା ଯୁବକ । ଏପରି ଜଣେ ସନ୍ଦିଗ୍ଧ ଭିତରେ ପ୍ରବେଶ କରୁଥିବା ଦେଖିବା ପରେ ପିଛା କରି ତାକୁ ଗିରଫ କରିଛି ପୁଲିସ । ବିଜୟ ଚୌକ ସ୍ଥିତ ଆର୍ଯ୍ୟନ ଗେଟ ନିକଟରେ ସଂସଦ ଭବନ ଭିତର ଆଡକୁ ମାଡି ଚାଲିଥିବା ଯୁବକକୁ କାବୁ କରି ନେଇଥିଲେ ସୁରକ୍ଷା କର୍ମୀ । ପୋଲିସକୁ ଚକମା ଦେଇ ସଂସଦ ଭବନକୁ ମାଡି ଆସୁଥିଲା ହେଲେ , ସଂସଦ ଭବନ ପରିସରରେ ଥିବା ସୁରକ୍ଷାକର୍ମୀଙ୍କୁ କିନ୍ତୁ ପାର୍ କରିବା କଷ୍ଟକର ଥିଲା । ବିଜୟ ଚୌକ ନିକଟରେ ତାକୁ ଧରିବା ପରେ ପୁଲିସରେ ଜିମା ଦେଇଛନ୍ତି ଯବାନ ମାନେ । ଗିରଫଦାରୀ ପରେ ପୁଲିସ ସନ୍ଦିଗ୍ଧକୁ ପଚରାଉଚରା କରିଛି ।

ଗିରଫ ଯୁବକର ନାମ ସାଗର ଇନସାନ୍ ଓ ଘର ଲକ୍ଷ୍ମୀନଗରରେ ବୋଲି ଜଣାପଡିଛି । ସଂସଦ ଭବନର ୧ ନମ୍ବର ଗେଟ ନିକଟର ପ୍ରଥମେ ସେ ବାଇକକୁ ରଖିଥିଲା । ଏହାପରେ ଛୁରୀ ଧରି ଗେଟ ଭିତରକୁ ପ୍ରବେଶ କରିଥିଲା । ହେଲେ ଏହି ଯୁବକ କିଛି ଅଘଟଣା ଘଟାଇବା ଆଗରୁ ସୁରକ୍ଷାକର୍ମୀ ତାକୁ ଧରି ନେଇଥିଲେ । ଏହି ଘଟଣା ପରେ ସଂସଦଭବନ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । କିଛି ଦିନ ଆଗରୁ ସଂସଦ ଭବନର ବିଜୟ ଚୌକ ନିକଟରେ ଏକ କାର ଆତଙ୍କ ମଚେଇ ଫେରାର ହୋଇଯାଇଥିଲା । ଏବେ ଜଣେ ଯୁବକ ଚାକୁ ନେଇ ସଂସଦ ଭବନ ଭିତରେ ପ୍ରବେଶ କରିବା , ସଂସଦ ଭବନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।