କନକ ବ୍ୟୁରୋ : ଭୋଟିଂର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଗୁଳିମାଡ଼ । ଦିଲ୍ଲୀରେ ବିଧାନସଭା ନିର୍ବାଚନର ପୂର୍ବରୁ ଜାଫରାବାଦ ଅଞ୍ଚଳରେ ୪ ରାଉଣ୍ଡ୍ ଗୁଳି ଚାଳନା ହୋଇଛି । ସେଠାରେ ଥିବା ଜଣେ ଦୋକାନୀଙ୍କ କହିବା ମୁତାବକ୍, ଏହି ଗୁଳି ଚାଳନା ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରାଯାଇ ହୋଇନାହିଁ । ଏହି ଗୁଳି ଚାଳନା କାହିଁକି ଓ କିଏ କରାଇଛି ତାହା ଜାଣିବା ପାଇଁ ଦିଲ୍ଲୀ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ନିକଟ ଅତୀତରେ ବି ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ଚାଳନା ହୋଇଥିବାର ଖବର ରହିଛି । ଯେଉଁ କାରଣରୁ ଦିଲ୍ଲୀର ପରିସ୍ଥିତି ଏବେ ବେଶ୍ ସମ୍ବେଦନଶୀଳ ।
ଆସନ୍ତାକାଲି ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନର ଗୋଟାଏ ଦିନ ପୂର୍ବରୁ ଏପରି ଗୁଳି ଚାଳନା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନାକରିକତା ସଂଶୋଧନ ଆଇନ୍କୁ ବିରୋଧ କରି ପୂର୍ବରୁ ଦିଲ୍ଲୀରେ ଅନେକ ଥର ହିଂସା ଉପୁଜିଛି । ଦିଲ୍ଲୀର ଜାମିଆ ଓ ସାହିନବାଗ୍ ଅଞ୍ଚଳରେ ପୂର୍ବରୁ ଗୁଳି ଚାଳନା ହୋଇଥିବାର ଖବର ରହିଛି ।
ଏହି ସବୁ ଘଟଣା ବ୍ୟତୀତ ଦିଲ୍ଲୀର ଜାମିଆ ମିଲିୟା ୟୁନିଭରସିଟି ସ୍କୁଟିରେ ଆସିଥିବା କିଛି ଅଜଣା ବ୍ୟକ୍ତି ରାତିରେ ଗୁଳି ଚାଳନା କରିଥିଲେ । ଗୋଟାଏ ସପ୍ତାହରେ ୩ ଥର ଗୁଳି ଚାଳନା ହେବା ପରେ ଜାମିଆ ଓ ସାହିନବାଗ୍ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଆସନ୍ତାକାଲି ଦିଲ୍ଲୀ ବିଧାନସଭାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ରାଜଧାନୀ ଦିଲ୍ଲୀରେ ପ୍ରାୟ ୪୦ ହଜାର ପୁଲିସ୍ ନିୟୋଜିତ ହୋଇଛନ୍ତି । ଇଭିଏମ୍ ପୁଲିଂ ବୁଥ୍ ପାଇଁ ପାଖାପାଖି ୧୯ ହଜାର ହୋମ୍ଗାର୍ଡ ନିୟୋଜିତ ହୋଇଛନ୍ତି ।