ଦିଲ୍ଲୀରେ କିଏ ଗଢିବ ସରକାର . . କାହା ଉପରେ ଭରସା କରିବେ ଭୋଟର ? ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ. . ୭୦ ଆସନରେ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

296

କନକ ବ୍ୟୁରୋ : ଦିଲ୍ଲୀରେ କିଏ ଗଢିବ ସରକାର । କାହା ଉପରେ ଭରସା କରିବେ ଭୋଟର । ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । । ଏହି ବିଧାନସଭା ନିର୍ବାଚନରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୧କୋଟି ୪୭ ଲକ୍ଷ ଭୋଟର । ଏଥିପାଇଁ ୧୩ ହଜାର ୭୫୦ ମତଦାନ କେନ୍ଦ୍ର କରାଯାଇଛି । ୧୧ ତାରିଖ ଦିନ ଭୋଟଗଣତି ହେବ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ସହିତ କେନ୍ଦ୍ରୀୟ ସଶସ୍ତ୍ର ବାହିନୀକୁ ମୁତୟନ କରାଯାଇଛି । ବରିଷ୍ଠ ନାଗରିକମାନଙ୍କୁ ଆଣିବା ଏବଂ ଛାଡିବାର ବ୍ୟବସ୍ଥା ହୋଇଛି ।

ପୋଷ୍ଟାଲ ବ୍ୟାଲେଟର ମଧ୍ୟ ବ୍ୟବସ୍ଥା ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଭୋଟଦାନ ପ୍ରକ୍ରିୟାରେ ଭାଗ ନେବାକୁ ଥିବା ସମସ୍ତ କର୍ମଚାରୀ ଠିକ ସମୟରେ ପହଂଚିବା ପାଇଁ ନିର୍ଦ୍ଦେଶ ରହିଛି । ଦିଲ୍ଲୀରେ କ୍ଷମତା ଦଖଲ କରିବା ବିଜେପି, କଂଗ୍ରେସ ଓ ଆମ ଆଦମି ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଏହା ସହିତ ଦିଲ୍ଳୀ ସହର ଦେଶର ଧର୍ମ, ଭାଷା ଓ ଭୌଗଳିକ ସ୍ଥିତିର ବିବିଧତାକୁ ଦର୍ଶାଉଥିବାରୁ ଏହି ନିର୍ବାଚନର ଗୁରୁତ୍ୱ ବେଶ ରହିଛି । ଏଥର ପ୍ରଚାର ବେଳେ ନାଗରିକତ୍ୱ ସଂଶୋଧନ ଆଇନ, ତୁଷ୍ଟିକରଣ ରାଜନୀତି, ବେରୋଜଗାରୀ, ପ୍ରଦୂଷଣ, ବିଶୁଦ୍ଧ ପାନୀୟ ଜଳ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସମର୍ଥକଙ୍କ ସହିତ ପୂଜାର୍ଚ୍ଚନା କରିଛନ୍ତି । ୬ ବର୍ଷ ତଳେ ଏକ ଅଣରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ଅରବିନ୍ଦ କେଜ୍ରିୱାଲ ୨୦୧୩ରେ କଂଗ୍ରେସ ହେବିୱେଟ ଶୀଲା ଦୀକ୍ଷିତଙ୍କୁ ହରାଇ ନୂଆ ଦିଲ୍ଳୀରେ କ୍ଷମତା ଦଖଲ କରିଥିଲେ । ତେଣୁ ଏଥର କିଏ ବାଜିମାତ କରିବ ତା ଉପରେ ସାରା ଦେଶର ନଜର ରହିଛି ।