ଦିଲ୍ଲୀରେ ପୁଣି ଚମକିଲା କେଜ୍ରିୱାଲଙ୍କ ଲୋକପ୍ରିୟତା : ବିଜେପି ପାଇଁ କାଳ ହେଲା କଠୋର ହିନ୍ଦୁତ୍ୱବାଦୀ ପ୍ରଚାର, ଦୁର୍ବଳ ରଣନୀତି ଓ ପ୍ରଚାର ଯୋଗୁଁ ଖାତା ଖୋଲିପାରିଲାନି କଂଗ୍ରେସ 

313

କନକ ବ୍ୟୁରୋ : ଦିଲ୍ଲୀରେ ଫେଲ୍ ମାରିଲା ମୋଦି ମ୍ୟାଜିକ୍ । ପୁଣି ଚମକିଲା କେଜ୍ରିୱାଲଙ୍କ ଲୋକପ୍ରିୟତା । କେଜ୍ରିୱାଲ ବନାମ ମୋଦି ବନାମ ରାହୁଲରେ ବାଜି ମାରିନେଇଛନ୍ତି କେଜ୍ରିୱାଲ । ପୁଣି ଥରେ ଅଜାତୀୟ ରାଜଧାନୀ ଦିଲ୍ଲୀରେ ସରକାର ଗଢ଼ିବ ଆପ୍ । ହ୍ୟାଟ୍ରିକ୍ କଲେ ଅରବିନ୍ଦ କେଜ୍ରିୱାଲ୍ ।  ୨୦୧୯ ସାଧାରଣ ନିର୍ବାଚନରେ ମୋଦି ସୁନାମୀରେ ଧରାଶାୟୀ ହୋଇଥିଲେ ବିରୋଧୀ । ହେଲେ ରାଜଧାନୀରେ  ଚାଲିପାରିନି ମୋଦି ଯାଦୁ । ଫଳାଫଳ ଚୂଡ଼ାନ୍ତ ହୋଇନଥିଲେ ସୁଦ୍ଧା ଦିଲ୍ଲୀରେ ଆମ୍ ଆଦମୀର ବିଜୟ ସୁନିଶ୍ଚିତ ହୋଇଯାଇଛି । ଶତ ପ୍ରତିଶତ ସତ ହୋଇଛି ବୁଥ୍ ବାହୁଡ଼ା ମତ । ଟ୍ରେଣ୍ଡ ସହ ଏକଜିଟ୍ ପୋଲ୍ ମତ ସମାନ ଆସିଛି । ଗତଥର ଭଳି ଏଥରମଧ୍ୟ କଂଗ୍ରେସ ଖାତା ଖୋଲି ନପାରିବାର ଆଶଙ୍କା ରହିଛି ।

ଏଥର ବି ଆପ୍ ଉପରେ ଭରସା କରିଛନ୍ତି ଦିଲ୍ଲୀବାସୀ । ପୁଣି ଦିଲ୍ଲୀ ଗାଦି ଅକ୍ତିଆର କରିବେ ଅରବିନ୍ଦ କେଜ୍ରିୱାଲ୍ । ରାଜଧାନୀରେ କେଜ୍ରିୱାଲଙ୍କ ଲୋକପ୍ରିୟତା ଆଗରେ ଫେଲ୍ ମାରିଲା ମୋଦି ମ୍ୟାଜିକ୍ । ବିକାଶ ନାଁରେ ନିବାଚନ ଲଢ଼ି ବାଜି ଜିତି ଯାଇଛନ୍ତି କେଜ୍ରିୱାଲ । ଦିଲ୍ଲୀ ନିର୍ବାଚନ ତାରଖ ଘୋଷଣା ପରେ ଆଗୁଆ ପ୍ରାର୍ଥୀ ଘୋଷଣା ସହ ମଜଭୁତ ରଣନୀତି ପ୍ରସ୍ତୁତ କରିଥିଲା ଆପ୍ । ଆଉ ସବୁଠାରୁ ବଡ଼ କଥା ହେଲା ନିର୍ବାଚନୀ ମାହୋଲେରେ ବିବାଦୀୟ ବୟାନରୁ ଦୂରେଇ ରହିଥିଲେ ଆମ ଆଦମି ପାର୍ଟିର ନେତା  ।  ଗଳିକନ୍ଦିରେ ସିସିଟିଭି କ୍ୟାମେରା, ବସ୍ତି ଅଂଚଳରେ ପକ୍କା ଘର, ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା, ମାଗଣା ବିଜୁଳି ପାଣି ଓ ବସ୍ ସେବା ଯୋଗାଇବାର ପ୍ରତିଶ୍ରୁତି ଲୋକଙ୍କ ମନ କିଣିନେଇଛି ।

 

ଦିଲ୍ଲୀ ଫଇସଲାର ବିଜେପିକୁ ବଡ଼ ବାର୍ତ୍ତା ମିଳିଛି । ଗତ ଥର ଠାରୁ ସ୍ଥିତିରେ ସୁଧାର ଆସିଥିଲେ ସୁଦ୍ଧା ଲୋକଙ୍କ ମନ ଜିଣିପାରି ନାହାନ୍ତି ବିଜେପି ପ୍ରାର୍ଥୀ । ଆଂଚଳିକ ଦଳର ଲୋକପ୍ରିୟତା ଆଗରେ ବହୁ ପଛରେ ପଡ଼ି ଯାଇଛି ବିଜେପି ।  ଅନ୍ୟପଟେ ନାଗରିକତା ଆଇନ ବିଜେପିକୁ ବିଶେଷ ଲାଭ ଦେଇନି ବୋଲି ଲୋକେ କହୁଛନ୍ତି । କେବଳ ଏତିକି ନୁହେଁ ବିଜେପିର କଠୋର ହିନ୍ଦୁତ୍ୱବାଦୀ ପ୍ରଚାର ବି ପରାଜୟର ଅନ୍ୟ ଏକ କାରଣ ହୋଇଛି । ଆପର ବିକାଶ ମଡେଲକୁ ଦିଲ୍ଲୀବାସୀ ଗ୍ରହଣ କରିବା ସହ ସାହିନବାଗ ପ୍ରସଙ୍ଗଙ୍କୁ ଗୁରୁତର ସହ ନେଇଛନ୍ତି । ଭୋଟରମାନେ ଏବେ ବି ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି । ବିଜୁଳି, ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟରେ ବିକାଶ ଆଣିବାର ପ୍ରତିଶ୍ରୁତି ଆପ୍ ସପକ୍ଷରେ ଯାଇଛି ।

ଦିଲ୍ଲୀରେ ପୁଣି ଖାତା ଖୋଲିପାରିଲାନି କଂଗ୍ରେସ । ଦେଶରସର୍ବ ପ୍ରାଚୀନ ଦଳ କଂଗ୍ରେସର ଦୁର୍ବଳ ରଣନୀତି ଓ ପ୍ରଚାର ହିଁ କାଳ ପାଲଟିଲା । ବିଳମ୍ବରେ ପ୍ରଚାର ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ବିମୁଦ୍ରାକରଣ-ଜିଏସଟି ଭଳି ପୁରୁଣା ପ୍ରସଙ୍ଗକୁ ବାରମ୍ବାର ଦୋହରାଇବା ଦିଲ୍ଲୀବାସୀଙ୍କ ମନକୁ ଆସିଲାନି । ଆଉ ଏବ ବଡ଼ କଥା  ସବୁଠାରୁ ବିଳମ୍ବରେ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ନେତାଙ୍କ ମଧ୍ୟରେ ସମନ୍ୱୟ ନରହିବା ଯୋଗୁଁ କଂଗ୍ରେସ ଶୋଚନୀୟ ବିପର୍ୟ୍ୟୟର ଶିକାର ହୋଇଛି । ନକରାତ୍ମକ ରାଜନୀତି ଓ ବ୍ୟକ୍ତିଗତ ଆକ୍ଷେପ ମଧ୍ୟ ଅନ୍ୟ ବିଜେପି ପରାଜୟର ପ୍ରମୁଖ କାରଣ କୁହାଯାଉଛି । ଆଉ ଗୋଟିଏ ସବୁଠାରୁ ବଡ଼ କଥା ହେଲା ଦିଲ୍ଲୀରେ ଶୀଲା ଦୀକ୍ଷିତଙ୍କ ପରେ କଂଗ୍ରେସର ବଡ ଚେହେରାର ଅଭାବ ବି ପରାଜୟକୁ ସୂଚାଉଛି ।