ଭିଡ଼ିଓ ପୋଷ୍ଟ କରି ଫସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ : ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ନୋଟିସ୍ ପଠାଇଲେ ନିର୍ବାଚନ କମିସନ୍, କାଲି ସନ୍ଧ୍ୟା ସୁଦ୍ଧା ଜବାବ ଦେବେ କେଜ୍ରିୱାଲ

415

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍ ।ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆଜି ନିର୍ବାଚନ ଆୟୋଗ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ପଠାଇଛନ୍ତି । ସୋମବାର ଦିନ କେଜ୍ରିୱାଲ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ । ଏହାକୁ ନେଇ ନିର୍ବାଚନ ଅୟୋଗ ଏହି ନୋଟିସ ପଠାଇଛନ୍ତି । ମିଳିଥିବା ସୂଚନା ମୁତାବକ ଫେବୃୟାରୀ ୩ ତାରିଖରେ କେଜ୍ରିୱାଲ ଏକ ବିବାଦୀୟ ଭିଡିଓ ଟ୍ୱିଟରରେ ସେୟାର କରିଥିଲେ । ଏହା ବିରୋଧରେ ବିଜେପି କମିସନଙ୍କ ନିକଟରେ ଫେରାଦ ହୋଇଥିଲା।

ଏହି ମାମଲାରେ ନିର୍ବାଚନ ଆୟୋଗ ଫେବୃୟାରୀ ୮ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଜବାବ ମାଗିଛନ୍ତି । ଏହା କରିବାରେ ବିଫଳ ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନୋଟିସରେ କୁହାଯାଇଛି । ଏଠାରେ ସୂଚନା ଥାଉ କି କେଜ୍ରିୱାଲ ଏହି ଭିଡିଓ ଟ୍ୱିଟ କରିବାର ଦିନକ ପରେ ଅର୍ଥାତ ଫେବୃୟାରୀ ୪ ତାରିଖ ଦିନ ବିଜେପି ଏହା ବିରୋଧରେ ଅଭିଯୋଗ ଆଣିଥିଲା ।

ନୋଟିସ ଜାରି କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ଭିଡିଓରେ ଯାହା ଦେଖାଦେଇଛି ତାହା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ବେଳେ ଏଥିରେ ଦିଲ୍ଲୀରେ ସାଂପ୍ରଦାୟକ ସଦଭାବନା ବିଗାଡିବା ଭଳି ଦୃଶ୍ୟ ଥିଲା ।ଏହି ନୋଟିସରେ କୁହାଯାଇଛି ଯେ ଏହି ଭିଡିଓ ଅପଲୋଡ କରିବା ଦ୍ୱାରା ଆଦର୍ଶ ଆଚରଣବିଧି ଓ ଜନପ୍ରତିନିଧି ଆଇନର ଉଲଙ୍ଘନ ହୋଇଥିବା ଜଣାପଡ଼ୁଛି । ଏହି ଭିଡିଓ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସହ ସମାଜରେ ବିଭେଦ ସୃଷ୍ଟି କରିବା ଆଶଙ୍କା ରହିଛି ।

 

ଗତ ୧୦ ଦିନ ମଧ୍ୟରେ କେଜ୍ରିଓ୍ଵାଲଙ୍କୁ ନିର୍ବାଚନ ଆୟୋଗଙ୍କ ଏହା ହେଉଛି ୨ୟ ନୋଟିସ । ଗତ ଜାନୁଆରି ୩୦ ତାରିଖରେ କେଜ୍ରିଓ୍ଵାଲ ଏକ କୋର୍ଟ ପରିସରରେ ଓକିଲମାନଙ୍କୁ ମହଲ୍ଲା କ୍ଲିନିକ ସଂପର୍କରେ ଘୋଷଣା କରିଥିବାରୁ ଆୟୋଗ ତାଙ୍କୁ ନୋଟିସ ଜାରିକରି ଚେତାବନୀ ଦେଇଥିଲେ । ଦିଲ୍ଲୀରେ ଆସନ୍ତାକାଲି ଅର୍ଥାତ ଶନିବାରଦିନ ଭୋଟଗ୍ରହଣ ହେବ ।