ଆପରୁ ଇସ୍ତଫା ଦେଲେ ବିଦ୍ରୋହୀ ବିଧାୟିକା ଅଳକା ଲାମ୍ବା : ଖୁବ ଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି 

433

କନକ ବ୍ୟୁରୋ : ଆପରୁ ଇସ୍ତଫା ଦେଲେ ବିଦ୍ରୋହୀ ବିଧାୟିକା ଅଳକା ଲାମ୍ବା । ଆପର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଚାନ୍ଦିନୀଚୌକ ବିଧାୟିକା ଅଳକା ଲାମ୍ବା  । ଇସ୍ତଫା ଦେବାପରେ ଟ୍ୱିଟ କରି ଲେଖିଛନ୍ତି ‘ଆପକୁ ବିଦାୟ କହିବାର ସମୟ ଆସିଛି’ । ଖୁବଶୀଘ୍ର ସେ କଂଗ୍ରେସରେ ଯୋଗଦେବେ ବୋଲି ଅଟକଳ ଲଗାଯାଉଛି । କାରଣ କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଅଳକା ଲାମ୍ବା ।  

ଲୋକସଭା ନିର୍ବାଚନରେ ଆପର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଅଳକା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦାୟୀ କରିବା ସହ ନିନ୍ଦା ମଧ୍ୟ କରିଥିଲେ ।  ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ ବୋଲି ଦାବି କରିଥିଲେ । ଆଉ ତା’ପରେ ଅଳକାଙ୍କୁ ବିଦ୍ରୋହୀ ଆଖ୍ୟା ଦିଆଯାଇ ଆପର ହୱାଟସଆପ ଗ୍ରୁପ୍ରୁ ବାହାର କରିଦିଆଯାଇଥିଲା ।  ଏହାକୁ ନେଇ ସେ ଦଳ ଉପରେ ଖପ୍ପା ହୋଇଥିଲେ।   ବେଶ କିଛି ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କରୁଥିଲେ । ସେ ଅଗଷ୍ଟ ମାସର ପ୍ରାରମ୍ଭରେ ଆପରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଥିଲେ । ଆସନ୍ତା ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବେ ଲଢିବେ ବୋଲି କହିଥିଲେ ।  ତେବେ ଅଳକାଙ୍କ ଏପରି ବୟାନ ପରେ ଆପ ପକ୍ଷରୁ ମଧ୍ୟ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ।

୧୯୯୪ରେ ସେ କଂଗ୍ରେସ ଦଳରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାର ମାତ୍ର ୨ ଦିନ ପରେ ସେ ଇସ୍ତଫା ଦେଇଛନ୍ତି । ସୋନିଆଙ୍କୁ ଭେଟିବାପରେ ସେ ଟୁଇଟ୍ କରିଥିଲେ, ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିବା କଥା ବହୁ ଦିନରୁ ବାକି ଥିଲା । ଆଜି ତାଙ୍କ ସହ ସବୁ ସମସ୍ୟା ଆଲୋଚନା କରିବାକୁ ସୁଯୋଗ ପାଇଲି । ରାଜନୀତିରେ ଏଭଳି ଆଲୋଚନା ଚାଲୁ ରହିଛି ଏବଂ ଚାଲୁ ରହିବ ।