କନକ ବ୍ୟୁରୋ : ଦିଲ୍ଲୀ କାରଖାନା ଅଗ୍ନିକାଣ୍ଡ ଘଟଣାରେ କାରଖାନା ମାଲିକ ଗିରଫ । ବିଲ୍ଡିଂ ମାଲିକ ରେହାନଙ୍କୁ ଗିରଫ କଲା ପୋଲିସ୍ । ଆଜି ସକାଳେ ରାଜଧାନୀର ରାଣୀ ଝାନ୍ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିବା ପରେ ଦିଳ୍ଲୀ ପୁଲିସ୍ କାରଖାନା ମାଲିକ ଓ ପରିଚାଳକଙ୍କୁ ଗିରଫ କରିଛି । ପୋଲିସ୍ ରେହାନଙ୍କ ଭାଇଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ।
ଏ ସଂପର୍କରେ ସୂଚନା ଦେଇ ଦିଲ୍ଲୀ ଅଗ୍ନିଶମ ବିଭାଗର ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ‘ଯେଉଁ କାରଖାନାରେ ଅଗ୍ନିକାଣ୍ଡ ଘଟି ଏତେ ଲୋକଙ୍କ ଜୀବନ ଯାଇଛି ସେହି କାରଖାନା ବିଲ୍ଡିଂର ଏନ୍ଓସି ସାର୍ଟିଫିକେଟ୍ ନଥିଲା ।
ସୂଚନାଯୋଗ୍ୟ ଏହି ଅଗ୍ନିକାଣ୍ଡ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଭୋର୍ ପ୍ରାୟ ୫ଟାରେ ନିଆଁ ଲାଗିଥିବା ସେ ପାଞ୍ଚ ତାଲା ଘରେ ପ୍ରାୟ ୬୦/୭୦ ଜଣ ଲୋକ ଶୋଇଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ଠିକା ଶ୍ରମିକ ଏବଂ କାରଖାନାର କର୍ମୀ ।ଧୂଆଁରେ ରୁନ୍ଧି ହୋଇ ଅଣନିଶ୍ୱାଃସୀ ହୋଇଯିବାରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି ବୋଲି ଲୋକ ନାୟକ ହସ୍ପିଟାଲ୍ର ନିର୍ଦେଶକ କହିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ଦିଲ୍ଲୀ ସରକାର ୧୦ଲକ୍ଷ ଓ କେନ୍ଦ୍ର ସରକାର ୨ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।