ବିଶ୍ୱର ପ୍ରଥମ ବୁଲେଟ୍ ଫ୍ରୁଫ୍ ହେଲମେଟ୍ : ଏକେ-୪୭ ଗୁଳିକୁ ରୋକିବାରେ ସକ୍ଷମ, ଶତ୍ରୁକୁ ମାତ୍ ଦେବାକୁ ପ୍ରସ୍ତୁତ କଲା ଭାରତୀୟ ସେନା

545

କନକ ବ୍ୟୁରୋ : ଦୁଇ ଚକିଆ ଯାନ ବ୍ୟବହାର ସମୟରେ ହେଲମେଟର ବ୍ୟବହାର ହୋଇଥାଏ । ଟ୍ରାଫିକ୍ ନିୟମ ଅନୁସାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ତେବେ କେବଳ ଦୁଇ ଚକିଆ ଗାଡ଼ି ଚାଳକ ନୁହେଁ ଭାରତୀୟ ସେନା ଆଗାମୀ ସମୟରେ ବ୍ୟବହାର କରିବେ ହେଲମେଟ୍ । ଏକେ -୪୭ ଗୁଳିରୁ ବଞ୍ଚିବା ପାଇଁ ସେନାବାହିନୀ ବ୍ୟବହାର କରିପାରିବେ ସ୍ୱତନ୍ତ୍ର ହେଲମେଟ୍ । ଭାରତୀୟ ସେନାର ଜଣେ ମେଜର ଦୁନିଆର ପ୍ରଥମ ବାଲାଷ୍ଟିକ୍ ହେଲମେଟ ତିଆରି କରିଛନ୍ତି । ୧୦ ମିଟର ଦୂରରୁ ଏକେ ୪୭ ଗୁଳିକୁ ରୋକିବା ପାଇଁ ସକ୍ଷମ ଏହି ହେଲମେଟ୍ । ଏହା ପୂର୍ବରୁ ବୁଲେଟ୍ ପ୍ରୁଫ୍ ଗ୍ୟାକେଟ ତିଆରି କରିଥିଲେ ମେଜର୍ ।

ତିଆରି ହେଲା ବିଶ୍ୱର ପ୍ରଥମ ବୁଲେଟ୍ଫ୍ରୁଫ୍ ହେଲମେଟ୍ । ଶତ୍ରୁକୁ ମାତ୍ ଦେବାକୁ ସ୍ୱତନ୍ତ୍ର ହେଲମେଟ୍ ପ୍ରସ୍ତୁତ କଲା ଭାରତୀୟ ସେନା । ପୁନେର ଆର୍ମି କଜେଲ ଅଫ୍ ମିଲିଟ୍ରି ଇଞ୍ଜିନିୟରିଂରେ କାର୍ଯ୍ୟରତ ମେଜର ଅନୁପ ମିଶ୍ର ତିଆରି କରିଛନ୍ତି ସ୍ୱତନ୍ତ୍ର ବାଲାଷ୍ଟିକ୍ ହେଲମେଟ୍ । ଏହି ହେଲମେଟକୁ ଅନୁପ ମିଶ୍ର ପ୍ରୋଜେକ୍ଟ ‘ଅଭେଦ୍ୟ ପରିଯୋଜନା’ ଅନ୍ତର୍ଗତ ବିକଶିତ କରିଛନ୍ତି । ଏକେ ୪୭ ଗୁଳିକୁ ୧୦ ମିଟର ଦୂରରୁ ଜାମ୍ କରିବ ଏହି ହେଲମେଟ୍ । ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଡିଫେନ୍ସ ଏକ୍ସପୋ ୨୦୨୦ରେ ଗତ ଶୁକ୍ରବାର ଏହି ହେଲମେଟକୁ ପ୍ରଦର୍ଶିତ କରାଯାଇଛି । ଏହି ହେଲମେଟର ଓଜନ ମାତ୍ର ୧.୪ କିଲୋଗ୍ରାମ୍ । ସେନା ଅଧିକାରୀଙ୍କ ସୂଚନା ଅନୁସାରେ, ଖୁବ ଶୀଘ୍ର ଏହି ହେଲମେଟକୁ ବ୍ୟବହାର କରିବେ ଭାରତୀୟ ସେନା ।

କେବଳ ଏତିିକି ନୁହେଁ କଲେଜ୍ ଅଫ୍ ଇଞ୍ଜିନିୟରିଂ, ଏକ ଘରୋଇ ସଂସ୍ଥା ସହ ମିଳିତ ଭାବେ ପ୍ରସ୍ତୁତ କରିଛି ଗନସଟ୍ ଲୋକେଟର୍ । ସବୁଠାରୁ ବଡ଼ କଥା ହେଲା ତୁଳନାତ୍ମକ ଭାବେ ଏହାର ମୂଲ୍ୟ ଅନ୍ୟ ଲୋକେଟର ଠାରୁ ବହୁତ କମ୍ । ୪୦୦ ମିଟର ଦୂରରୁ ଥିବା ବୁଲେଟ୍ ବିଷୟରେ ସଠିକ୍ ବିବରଣୀ ଦେବାରେ ସକ୍ଷମ ଗନସଟ୍ ଲୋକେଟର୍ । ଏହି ଲୋକେଟର ସାହାଯ୍ୟରେ ଆତଙ୍କବାଦୀଙ୍କ ଠିକଣା ଠାବ କରିବାରେ ସୁବିଧା ହେବ । ଏବଂ ଶତ୍ରୁ ପକ୍ଷ ଗୁଳି ଚଳାଇବା ପୂର୍ବରୁ ଭାରତୀୟ ସେନା ସଜାଗ ହୋଇଯିବା ସହ ଆତଙ୍କୀଙ୍କୁ ମୂଳପୋଛ୍ କରିବ ଗନସଟ୍ ଲୋକେଟର୍ । ଡିଫେନ୍ସ ଏକ୍ସେପୋ ୨୦୨୦ରେ କେବଳ ହେଲମେଟ୍ କିମ୍ବା ଗନସଟ୍ ଲୋକେଟର୍ ନୁହେଁ ଏପରି ଅନେକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ କରାଯାଇଛି, ଯାହା ଆଗାମୀ ସମୟରେ ଭାରତୀୟ ସେନା ବ୍ୟବହାର କରିପାରିବ ।