କନକ ବ୍ୟୁରୋ : ଭୁଲ ତଥ୍ୟ ଦେଲେ ରାଜ୍ୟ ସରକାର, ହଟହଟା ହେଲେ ମୃତ ଯୁବକଙ୍କ ପରିବାର । ରାଜ୍ୟ ସରକାରଙ୍କ ଭୁଲ ତଥ୍ୟ ପାଇଁ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁର ମୃତ ପୂର୍ଣ୍ଣଚନ୍ଦ୍ର ଗୌଡାଙ୍କ ପରିବାର ନାନା ସାମାଜିକ ବାସନ୍ଦର ସମ୍ମୁଖୀନ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ପୂର୍ଣ୍ଣ ଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ନେଇ ମେ ୧୭ ତାରିଖରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ପରେ ଏହି ତଥ୍ୟକୁ ସଂଶୋଧନ କରାଯାଇ ପୂର୍ଣ୍ଣଚନ୍ଦ୍ର କରୋନା ଆକ୍ରାନ୍ତ ନଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ, ଏହାକୁ ପୂର୍ଣ୍ଣଙ୍କ ଗାଁ ଲୋକ ବୁଝି ନଥିଲେ ଏବଂ ତାଙ୍କ ଶବକୁ ଗାଁକୁ ଆଣିବାକୁ ବିରୋଧ କରିଥିଲେ । ଗାଁରେ ପୂର୍ଣ୍ଣଙ୍କର ଅନ୍ତିମ ସଂସ୍କାର କରାଗଲେ କରୋନା ଭୂତାଣୁ ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା କରିଥିଲେ ଗ୍ରାମବାସୀ । ଫଳରେ ବାଧ୍ୟ ହୋଇ ପୂର୍ଣ୍ଣଙ୍କୁ ଶବକୁ ଗାଁକୁ ଆଣିନଥିଲେ ପରିବାର ଲୋକେ । ଆଉ ହସ୍ପିଟାଲରେ ଶେଷ ଦର୍ଶନ କରିଥିଲେ ।
ସୂଚନା ଅନୁଯାୟୀ ପୂର୍ଣ୍ଣ ମାର୍ଚ୍ଚ ୧୧ ତାରିଖରେ ସୁରତରୁ ଗଞ୍ଜାମ ଫେରିଥିଲେ । ଏବଂ ସେହି ଲକଡାଉନ ଆରମ୍ଭ ହେବା ପରେ ୧୪ ଦିନିଆ ହୋମ କ୍ୱାରେଂଟିନରେ ରହିଥିଲେ । ସେତେବେଳେ ତାଙ୍କ ନିକଟରେ କୋଭିଡ୍-୧୯ ଭୂତାଣୁର କୌଣସି ଲକ୍ଷଣ ଦେଖାଯାଇନଥିଲା । କିନ୍ତୁ ଦୀର୍ଘ ଦୁଇମାସ ପରେ ମେ ୧୧ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ପୂର୍ଣ୍ଣ । ମେ ୧୨ରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ପରିବାର ଲୋକ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସେଠାରୁ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମେ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବଂ ୧୭ ତାରିଖରେ ସେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିଲେ । କିନ୍ତୁ କିଛି ସମୟ ପରେ ଏହାକୁ ବଦଳାଇ ଦେଇଥିଲେ । ଏବଂ ସେ କରୋନା ଆକ୍ରାନ୍ତ ନଥିଲେ ବୋଲି ସ୍ପଷ୍ଟ କରାଯାଇଥିଲା । ହେଲେ ଏହାକୁ ଗ୍ରହଣ କରିନଥିଲେ ଗାଁ ଲୋକେ । ଏବେ ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ଭୁଲ୍ ପାଇଁ କିଏ ଦାୟୀ ରହିବ ।