ରାୟଗଡାର ନିସ୍ୱାର୍ଥପର ସେବକ : ଗୁଣୁପୁରରେ ସ୍ୱର୍ଗରଥ କରି ଡାକ୍ତରଖାନାରୁ ମାଗଣାରେ ଶବ ବୋହୁଛନ୍ତି ଦୟାନିଧି ବାରିକ

334

କନକ ବ୍ୟୁରୋ : ରାୟଗଡାର ନିସ୍ୱାର୍ଥପର ସେବକ ଦୟାନିଧି ବାରିକ । ଗୁଣୁପୁରରେ ସ୍ୱର୍ଗରଥ କରି ଡାକ୍ତରଖାନାରୁ ମାଗଣାରେ ଶବ ବୋହି ଶ୍ମସାନ ଘାଟରେ ପହଞ୍ଚାଉଛନ୍ତି ଦୟାନିଧି । ଆଉ ତାଙ୍କର ଏହି କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛନ୍ତି ସମାଜସେବୀ ।

ରାୟଗଡା ଜିଲ୍ଲା ଗୁଣୁପୁର ବାବୁଲି ନଗରର ବାସିନ୍ଦା ଦୟାନିଧି ବାରିକ୍ । ଶବ ବୋହିବାକୁ ଆତ୍ମୀୟ ସ୍ୱଜନଙ୍କ କାନ୍ଧ ନମିଳିବା ଖବର ଦିନେ ଦୟାନିଧିଙ୍କୁ ଆନ୍ଦୋଳିତ କରିଥିଲା । ଏହି ସମସ୍ୟାର ସମାଧାନ କରି ସମାଜ ପାଇଁ କିଛି କରିବାକୁ ଆଗେଇ ଆସିଥିଲେ । କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ୨୦୧୬ରୁ ପୁରୀରୁ ଏକ ଶବ ବୁହା ଗାଡି କିଣି ଆଣି, ଗୁଣୁପୁରରେ ସ୍ୱର୍ଗରଥ ସେବା ଯୋଗାଉଛନ୍ତି ଦୟାନିଧି । ୩ ବର୍ଷରେ ଏକାକୀ ପ୍ରାୟ ୩୩୦ଟି ଶବକୁ ଶ୍ମଶାନ ଘାଟ ଯାଏଁ ପହଂଚାଇଛନ୍ତି ।

ଚିହ୍ନା ହୁଅନ୍ତୁ ବା ଅଚିହ୍ନା । ପାଖ ହେଉ ବା ଦୂର । ଗୁଣୁପୁର ଡାକ୍ତରଖାନାରୁ ଶବ ନେବା ପାଇଁ ଆମ୍ବୁଲାନ୍ସ କି ଶବ ବୁହା ଗାଡି ନମିଳିଲେ, ପହଂଚି ଯାଆନ୍ତି ଦୟାନିଧି । ବିନା ପାଉଣାରେ ଡାକ୍ତରଖାନାରୁ ଶବ ନେଇ ଗୁଣୁପୁର, ଗୁଡାରୀ, ରାମନାଗୁଡା ଓ ପଦ୍ମପୁର ବ୍ଲକକୁ ଯାତ୍ରା କରିଥାଏ ଦୟାନିଧିଙ୍କ ସ୍ୱର୍ଗରଥ । ଆଉ ଦୟାନିଧିଙ୍କ ନିଃସ୍ୱାର୍ଥ ପର ସେବା ଦେଖି ଗୁଣୁପୁର ସହରରେ ଶିକ୍ଷାବିତ୍ ତଥା ସମାଜସେବୀ ସଂଜୟ କୁମାର ସାହୁ ତାଙ୍କୁ ଆଉ ଦୁଇଟି ନୂଆ ସ୍ୱର୍ଗରଥଯୋଗାଇ ଦେଇଛନ୍ତି । ଗୁଣୁପୁର ଓ଼ ପଦ୍ମପୁର ବ୍ଲକ ପାଇଁ ଦୁଇଟି ଗାଡି ଦେଇଛନ୍ତି ସଂଜୟ । ମୃତ ବ୍ୟକ୍ତିଙ୍କ ମର ଶରୀର ବୋହି ନେବା ପାଇଁ ଆମ୍ବୁଲାନ୍ସ ନ ମିଲିବା ଏବଂ ବେସରକାରୀ ଗାଡି ଗୁଡିକ ମୃତକଙ୍କ ପରିବାରଙ୍କୁ ଶୋଷଣ କରିବା ଘଟଣା ଉଭୟ ଦୟାନିଧି ଓ ସଂଜୟଙ୍କୁ ବ୍ୟଥିତ କରିଥିଲା । ତେଣୁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି ।